Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

SCB Financial Irregularities: ୧୦ ବର୍ଷରେ ୧.୪୦ କୋଟି ଟଙ୍କା ହେରଫେର ଅଭିଯୋଗ, ଅଡିଟ୍‌ରେ ଖୁଲିଲା ଚାଞ୍ଚଲ୍ୟକର ତଥ୍ୟ

କଟକ: କଟକର SCB ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ବଡ଼ ଆର୍ଥିକ ହେରଫେର ଅଭିଯୋଗ ସାମ୍ନାକୁ ଆସିଛି। ଗତ ୧୦ ବର୍ଷ ମଧ୍ୟରେ କର୍ମଚାରୀଙ୍କ ବିଭିନ୍ନ ପ୍ରାପ୍ୟ ବାବଦରେ ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କାର ଅନିୟମିତତା ହୋଇଥିବା ଅଭିଯୋଗ ଉଠିଛି। ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଟିଏ, ଡିଏ, ଏରିଅର, ଷ୍ଟଡି ଟୁର୍ ଏବଂ ମାଟର୍ନିଟି ଲିଭ୍‌ ବାବଦରେ ମିଳିବାକୁ ଥିବା ଅର୍ଥରେ ହେରଫେର ହୋଇଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ, ଏହି ଟଙ୍କା ସମ୍ପୃକ୍ତ କର୍ମଚାରୀଙ୍କ ବ୍ୟାଙ୍କ ଖାତାକୁ ଯିବା ପରିବର୍ତ୍ତେ ଅନ୍ୟତ୍ର ହଡ଼ପ ହୋଇଥିବା ସନ୍ଦେହ କରାଯାଉଛି। ଆକାଉଣ୍ଟାଣ୍ଟ ଜେନେରାଲ୍‌ଙ୍କ ଅଡିଟ୍ ସମୟରେ ଏହି ଆର୍ଥିକ ଅନିୟମିତତା ଧରାପଡ଼ିଥିବା ସୂଚନା ମିଳିଛି।

ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏତେ ଦୀର୍ଘ ସମୟ ଧରି ଏହି ଅନିୟମିତତା କିପରି ନଜରକୁ ଆସିଲା ନାହିଁ। ସାଧାରଣତଃ କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ ଟଙ୍କା ପ୍ରଦାନ ପୂର୍ବରୁ ଏକାଧିକ ସ୍ତରରେ ଯାଞ୍ଚ ହୋଇଥାଏ। ଡାଟା ଏଣ୍ଟ୍ରି ପରେ ଡିଲିଂ ଆସିଷ୍ଟାଣ୍ଟ, ଆକାଉଣ୍ଟାଣ୍ଟ, କ୍ୟାସିୟର ଓ DDOଙ୍କ ଅନୁମୋଦନ ପରେ ବିଲ୍‌ ଟ୍ରେଜେରିକୁ ଯାଇଥାଏ। ଟ୍ରେଜେରିର ଯାଞ୍ଚ ପରେ PFMS ମାଧ୍ୟମରେ ସମ୍ପୃକ୍ତ କର୍ମଚାରୀଙ୍କ ବ୍ୟାଙ୍କ ଖାତାକୁ ଅର୍ଥ ପଠାଯାଇଥାଏ। ଏତେଗୁଡ଼ିଏ ଯାଞ୍ଚ ବ୍ୟବସ୍ଥା ଥିବା ସତ୍ତ୍ୱେ ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କାର ହେରଫେର ଦୀର୍ଘ ୧୦ ବର୍ଷ ଧରି କିପରି ଚାଲିଲା, ତାହା ଏବେ ତଦନ୍ତର ବଡ଼ ପ୍ରସଙ୍ଗ ପାଲଟିଛି।

ଘଟଣା ସାମ୍ନାକୁ ଆସିବା ପରେ SCB ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ଗତ ସପ୍ତାହରେ ଏନେଇ SCB ଅଧୀକ୍ଷକଙ୍କୁ ଚିଠି ଲେଖାଯାଇଥିବା ସୂଚନା ମିଳିଛି। ଅର୍ଥ ହେରଫେର କିପରି ହେଲା, ଟଙ୍କା କେଉଁଠାକୁ ଗଲା ଏବଂ ଏଥିରେ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତାହାର ସମ୍ପୂର୍ଣ୍ଣ ତଦନ୍ତ ହେବା ଆବଶ୍ୟକ। ଅଡିଟ୍‌ରେ ଅନିୟମିତତା ଧରାପଡ଼ିବା ପରେ ଦୋଷୀଙ୍କୁ ଚିହ୍ନଟ କରି କି କାର୍ଯ୍ୟାନୁଷ୍ଠାନ ନିଆଯିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ