Meta Teen Safety: ଛୋଟ ଶିଶୁଙ୍କ ସୁରକ୍ଷା ପାଇଁ ମେଟାର ବଡ଼ ନିଷ୍ପତ୍ତି, ରାତି ୧୨ରୁ ସକାଳ ୬ ଯାଏଁ ବନ୍ଦ ରହିବ ଆପ୍
ନୂଆଦିଲ୍ଲୀ: ଛୋଟ ଶିଶୁ ଓ କିଶୋରଙ୍କ ସୋସିଆଲ ମିଡିଆ ବ୍ୟବହାରକୁ ନେଇ ମେଟା ବଡ଼ ପଦକ୍ଷେପ ନେବାକୁ ରାଜି ହୋଇଛି। ଆମେରିକାରେ ପିଲାଙ୍କ ଅନଲାଇନ୍ ସୁରକ୍ଷାକୁ ନେଇ ହୋଇଥିବା ଆଇନଗତ ସମାଧାନ ଅନୁସାରେ, ୧୮ ବର୍ଷରୁ କମ୍ ବୟସ୍କଙ୍କ ପାଇଁ Facebook ଓ Instagramରେ ନୂଆ କଟକଣା ଲାଗୁ ହେବ। ଡିଫଲ୍ଟ ଭାବେ ଦୁଇଟି ଆପ୍କୁ ମିଶାଇ ଦିନକୁ ୨ ଘଣ୍ଟା ବ୍ୟବହାର ସୀମା ରହିବ ଏବଂ ରାତି ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାବାଳକମାନଙ୍କ ପାଇଁ ଆପ୍ ବ୍ୟବହାର ବନ୍ଦ ରହିବ। ସ୍କୁଲ୍ ସମୟରେ ନୋଟିଫିକେସନ୍ ସୀମିତ କରିବା ସହ ବୟସ ଯାଞ୍ଚ ଓ ଅଭିଭାବକଙ୍କ ନିୟନ୍ତ୍ରଣ ବ୍ୟବସ୍ଥାକୁ ମଧ୍ୟ ଅଧିକ କଡ଼ା କରାଯିବ।
ମେଟା ବିରୋଧରେ ୨୦୨୩ରୁ ଚାଲିଥିବା ଏହି ମାମଲାରେ ଅଭିଯୋଗ ଥିଲା ଯେ Facebook ଓ Instagramର କିଛି ଫିଚର ପିଲା ଓ କିଶୋରଙ୍କୁ ଦୀର୍ଘ ସମୟ ଆପ୍ରେ ରଖିବା ଭଳି ଭାବରେ ଡିଜାଇନ୍ କରାଯାଇଥିଲା। ପ୍ରସ୍ତାବିତ ସମାଧାନ ଅନୁସାରେ ମେଟା ପ୍ରାୟ ୧୭.୧ ବିଲିୟନରୁ ୧୮ ବିଲିୟନ ଡଲାର ପର୍ଯ୍ୟନ୍ତ ଦେୟ ଦେଇପାରେ। ତେବେ ଚୁକ୍ତି କରିଥିଲେ ମଧ୍ୟ ମେଟା କୌଣସି ଭୁଲ କିମ୍ବା ଆଇନଗତ ଦାୟିତ୍ୱ ସ୍ୱୀକାର କରିନାହିଁ।
ନୂଆ ବ୍ୟବସ୍ଥାରେ କିଶୋରଙ୍କ ପାଇଁ ନିୟମିତ ବିରତିର ସୂଚନା, ସ୍କୁଲ୍ ସମୟରେ ନୋଟିଫିକେସନ୍ କମାଇବା, Like ଓ Reaction Count ଲୁଚାଇବା ଏବଂ କିଛି Beauty Filter ଉପରେ କଟକଣା ଭଳି ପଦକ୍ଷେପ ମଧ୍ୟ ରହିଛି। Meta ପକ୍ଷରୁ YouTube ଓ TikTok ଭଳି ଅନ୍ୟ ପ୍ଲାଟଫର୍ମକୁ ମଧ୍ୟ ସମାନ ସୁରକ୍ଷା ମାନଦଣ୍ଡ ଆପଣାଇବାକୁ କୁହାଯାଇଛି। ଯଦିଓ ଆମେରିକାର ଏହି ଚୁକ୍ତିର ସିଧାସଳଖ ଆଇନଗତ ପ୍ରଭାବ ଭାରତରେ ପଡ଼ିବ ନାହିଁ, ପିଲାଙ୍କ ଅନଲାଇନ୍ ସୁରକ୍ଷା ଓ ସ୍କ୍ରିନ୍ ଟାଇମ୍ ନେଇ ବିଶ୍ୱବ୍ୟାପୀ ଚାପ ବଢ଼ିବାର ସମ୍ଭାବନା ରହିଛି।

