Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Sugar Price Drop: ସରକାରଙ୍କ କଡ଼ା ପଦକ୍ଷେପ ପରେ ଚିନି ୧୫ ଟଙ୍କା ଶସ୍ତା, ଆହୁରି କମିପାରେ ଦର

ନୂଆଦିଲ୍ଲୀ: ସରକାରଙ୍କ କଡ଼ା ପଦକ୍ଷେପ ପରେ ଚିନି ଦରରେ ହ୍ରାସ ଦେଖିବାକୁ ମିଳିଛି। ସପ୍ତାହେ ପୂର୍ବରୁ ଚିନିର ଏକ୍ସ-ମିଲ୍ ଦର କିଲୋ ପିଛା ୬୮ ଟଙ୍କାରେ ପହଞ୍ଚିଥିବା ବେଳେ ଏବେ ଏହା ୫୩ରୁ ୫୫ ଟଙ୍କାକୁ ଖସିଛି। ଅର୍ଥାତ୍ କିଲୋ ପିଛା ପ୍ରାୟ ୧୫ ଟଙ୍କା ହ୍ରାସ ଘଟିଛି। ମହାରାଷ୍ଟ୍ରରେ ଚିନି ଦର ୫୧ରୁ ୫୨ ଟଙ୍କା ଥିବାବେଳେ କୋଲକାତାରେ ହୋଲସେଲ୍ ଦର ପ୍ରାୟ ୫୩ ଟଙ୍କା ପ୍ରତି କିଲୋରେ ପହଞ୍ଚିଛି। ତେବେ ଏହି ଦର ହ୍ରାସର ସମ୍ପୂର୍ଣ୍ଣ ଲାଭ ଏପର୍ଯ୍ୟନ୍ତ ଖୁଚୁରା ବଜାରରେ ଖାଉଟିଙ୍କ ପାଖରେ ପହଞ୍ଚିନାହିଁ।

ଖରାପ ପାଣିପାଗ ଯୋଗୁଁ ଚିନି ଉତ୍ପାଦନ କମିବାର ଆଶଙ୍କା ଦେଖାଦେବା ପରେ କିଛି ମହଜୁଦକାରୀ କୃତ୍ରିମ ଅଭାବ ସୃଷ୍ଟି କରି ଦର ବଢ଼ାଇଥିବା ସରକାର ଅନୁମାନ କରୁଛନ୍ତି। ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ୧୦ ଲକ୍ଷ ଟନ୍ ଚିନି ଶୁଳ୍କମୁକ୍ତ ଭାବେ ଆମଦାନୀ କରିବାକୁ ପ୍ରସ୍ତୁତି ଚାଲିଛି। ପ୍ରାୟ ୮୦ ହଜାର ଟନ୍ ଚିନିର ଚାରିଟି ଚାଲାଣ ରପ୍ତାନିକାରୀ ଦେଶର ବନ୍ଦରରୁ ବାହାରିସାରିଥିବା ବେଳେ ଏହି ଚିନିକୁ ରିଫାଇନ୍ କରି ଘରୋଇ ବଜାରକୁ ଯୋଗାଇ ଦିଆଯିବ।

ଏହାବ୍ୟତୀତ ଦେଶର ବିଭିନ୍ନ ବନ୍ଦରରେ ପୂର୍ବରୁ ପ୍ରାୟ ୩ରୁ ୪ ଲକ୍ଷ ଟନ୍ ଚିନି ମହଜୁଦ ରହିଛି ଏବଂ ଏହାର ରିଫାଇନିଂ ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରାଯାଉଛି। ଆମଦାନୀ ହୋଇଥିବା ଚିନି ବଜାରକୁ ଆସିବା, ବନ୍ଦରରେ ଥିବା ମହଜୁଦ ଚିନିର ଯୋଗାଣ ବଢ଼ିବା ଏବଂ ଘରୋଇ କୋଟାର ବିକ୍ରି ହୋଇନଥିବା ଚିନି ବଜାରକୁ ଆସିବା ପରେ ଆଗାମୀ ଦିନରେ ଚିନି ଦର ଆହୁରି କମିବାର ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ