Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Delhi Model Murder: ୨୧ ବର୍ଷୀୟା ମଡେଲଙ୍କୁ ଛୁରି ଭୁସି ହତ୍ୟା! ଘଟଣାରେ ଜିମ୍ ପ୍ରଶିକ୍ଷକଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ଆଣିଲେ ପରିବାର

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ୨୧ ବର୍ଷୀୟା ଛାତ୍ରୀ ତଥା ମଡେଲଙ୍କୁ ତାଙ୍କ ଭଡା ଘରେ ଛୁରି ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବତୀଙ୍କ ନାମ ମୁସ୍କାନ ବୋଲି ଜଣାପଡ଼ିଛି। ସେ ତିଲକ ନଗରର ନ୍ୟୁ ମହାବୀର ନଗର ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ। ସେ ଘରେ ଏକାକୀ ଥିବା ସମୟରେ ଜଣେ ବ୍ୟକ୍ତି ଘରେ ପ୍ରବେଶ କରି ବାରମ୍ବାର ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ରହିଛି। ଗୁରୁତର ଅବସ୍ଥାରେ ମୁସ୍କାନଙ୍କୁ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁସାରେ, ମୁସ୍କାନ ଯେଉଁ ଜିମ୍‌କୁ ଯାଉଥିଲେ, ସେଠାରେ କାମ କରୁଥିବା ଜଣେ ଜିମ୍ ପ୍ରଶିକ୍ଷକ ଇମ୍ରାନ ଏହି ଘଟଣାରେ ସମ୍ପୃକ୍ତ ଥାଇପାରନ୍ତି। ମୁସ୍କାନଙ୍କ ଭାଇ ଆକାଶ ମଧ୍ୟ ଇମ୍ରାନଙ୍କ ନାମ ନେଇ ପୁଲିସ ନିକଟରେ ଅଭିଯୋଗ କରିଥିବା ସୂଚନା ମିଳିଛି। ତେବେ ଏହି ଅଭିଯୋଗର ସମ୍ପୂର୍ଣ୍ଣ ସତ୍ୟତା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ଅଭିଯୋଗ ଆସିବା ପରେ ସମ୍ପୃକ୍ତ ବ୍ୟକ୍ତି ଫେରାର ଥିବା ବେଳେ ପୁଲିସ ତାଙ୍କୁ ଖୋଜୁଛି।

ଘଟଣାର ତଦନ୍ତ ପାଇଁ ପୁଲିସ ଏକାଧିକ ଦଳ ଗଠନ କରି ଅଭିଯୁକ୍ତଙ୍କ ସନ୍ଧାନ ଜାରି ରଖିଛି। ହତ୍ୟା ପଛରେ କେଉଁ କାରଣ ରହିଛି ଏବଂ ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ତାହାକୁ ନେଇ ମଧ୍ୟ ତଦନ୍ତ ଚାଲିଛି। ପୁଲିସର ତଦନ୍ତ ଓ ଫେରାର ଥିବା ସନ୍ଦିଗ୍ଧଙ୍କ ସନ୍ଧାନ ପରେ ଏହି ହତ୍ୟାକାଣ୍ଡ ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ