Show-Cause Notice: ଅବସର ପରେ ବି ଅଡୁଆରେ Former DGP ଖୁରାନିଆ, Contempt Case ନେଇ High Courtଙ୍କ ନୋଟିସ୍
କଟକ: ଅବସର ନେବା ପରେ ମଧ୍ୟ ପୂର୍ବତନ ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କ ପିଛା ଛାଡ଼ିନି ଆଇନଗତ ଅଡୁଆ। ଓଡ଼ିଶା ହାଇକୋର୍ଟ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ପଚାରିଛନ୍ତି ଯେ, ତାଙ୍କ ବିରୋଧରେ କାହିଁକି ଅଦାଲତ ଅବମାନନା ମାମଲା ରୁଜୁ କରାଯିବ ନାହିଁ। ବାରମ୍ବାର ସୁଯୋଗ ମିଳିବା ସତ୍ତ୍ୱେ କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନକରିବା ଏବଂ ମାମଲା ସମ୍ପର୍କରେ ବିଭ୍ରାନ୍ତିକର ସତ୍ୟପାଠ ଦାଖଲ କରାଯାଇଥିବା ଅଭିଯୋଗକୁ ହାଇକୋର୍ଟ ଗୁରୁତ୍ୱର ସହ ନେଇଛନ୍ତି।
୨୦୨୫ ମସିହା ସେପ୍ଟେମ୍ବର ୨୫ରେ ଜାରି ହୋଇଥିବା କୋର୍ଟଙ୍କ ନିର୍ଦ୍ଦେଶକୁ ଖୁରାନିଆ ଜାଣିଶୁଣି ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ହୋଇଛି। ତେଣୁ ଅଦାଲତ ଅବମାନନା ଆଇନର ଧାରା ୧୨ ଅନୁଯାୟୀ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ, ସେନେଇ ଜବାବ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଖୁରାନିଆ ଅବସର ନେଇସାରିଥିବାରୁ ପୋଲିସ ଆଇଜି (ପର୍ସୋନେଲ) ତାଙ୍କୁ ଏହି ନୋଟିସ୍ ପ୍ରଦାନ କରିବେ। ନୋଟିସ୍ ପାଇବାର ୭ ଦିନ ମଧ୍ୟରେ ପୂର୍ବତନ ଡିଜିପିଙ୍କୁ ନିଜର ଜବାବ ଦାଖଲ କରିବାକୁ ହେବ।
ଚାକିରିରୁ ଛଟେଇ ହୋଇଥିବା ମହିଳା ପୋଲିସ ଅଧିକାରୀ ସାଗରିକା ପରିଡାଙ୍କ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ପଦକ୍ଷେପ ନେଇଛନ୍ତି। ସାଗରିକାଙ୍କୁ ପୁନଃ ଚାକିରିରେ ଅବସ୍ଥାପିତ କରିବା ପାଇଁ ଗତବର୍ଷ ସେପ୍ଟେମ୍ବରରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇନଥିବା ସହ କୋର୍ଟଙ୍କୁ ବିଭ୍ରାନ୍ତିକର ତଥ୍ୟ ସତ୍ୟପାଠ ଜରିଆରେ ଦିଆଯାଇଥିବା ଅଭିଯୋଗ ରହିଛି। ଖୁରାନିଆ ଗତ ୧୬ ତାରିଖରେ DGP ପଦରୁ ଅବସର ନେଇଥିଲେ ମଧ୍ୟ ତାଙ୍କ ବିରୋଧରେ ଅଦାଲତ ଅବମାନନା ପ୍ରକ୍ରିୟା ଚାଲିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ସେହିପରି ୪ ସପ୍ତାହ ମଧ୍ୟରେ ସାଗରିକାଙ୍କ ପୁନଃନିଯୁକ୍ତି ସମ୍ପର୍କିତ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ କୋର୍ଟ କହିଥିବାବେଳେ, ଅବହେଳା ହେଲେ ଭାରପ୍ରାପ୍ତ DGP ଓ ଆଇଜି (ପର୍ସୋନେଲ)ଙ୍କୁ ସେପ୍ଟେମ୍ବର ୨୮ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡ଼ିପାରେ।

