Bhitarakanika Bird Census: Bird Census: ଆଜିଠୁ ଭିତରକନିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା, ୪ ଟିମ୍ରେ ନିୟୋଜିତ ବନ କର୍ମଚାରୀ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକାରେ ଆଜିଠୁ ୩ ଦିନିଆ ଦେଶୀୟ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଭିତରକନିକାର ମଠଆଡ଼ିଆ, ଦୁର୍ଗାପ୍ରସାଦ ଡିଆ ଓ ଲକ୍ଷ୍ମୀପ୍ରସାଦ ଡିଆ ଅଞ୍ଚଳରେ ଏହି ଗଣନା କରାଯିବ। ଏଥିପାଇଁ ବନ ବିଭାଗ ପକ୍ଷରୁ ୪ଟି ଟିମ୍ ନିୟୋଜିତ ହୋଇଥିବା ବେଳେ, ପ୍ରତ୍ୟେକ ଟିମ୍ରେ ୪ରୁ ୫ ଜଣ ବନ କର୍ମଚାରୀ ରହିଛନ୍ତି।
ପକ୍ଷୀ ବିଶେଷଜ୍ଞଙ୍କ ନେତୃତ୍ୱରେ ଗଣନା କାର୍ଯ୍ୟ ଚାଲିଛି। ଏହି ସମୟରେ ମୁଖ୍ୟତଃ ଗେଣ୍ଡାଳିଆ, ଅଞ୍ଜନା, ଖଇରା, ରାଣିବଗ ଓ କପାରଖାଇ ସମେତ ପ୍ରାୟ ୧୦ ପ୍ରକାର ପ୍ରଜାତିର ଦେଶୀୟ ପକ୍ଷୀଙ୍କ ସଂଖ୍ୟା ଗଣନା କରାଯିବ। ଗଣନା ପୂର୍ବରୁ ଗତକାଲି ବନ କର୍ମଚାରୀମାନଙ୍କୁ ଏନେଇ ଆବଶ୍ୟକ ତାଲିମ ମଧ୍ୟ ଦିଆଯାଇଥିଲା।
ସକାଳ ୬ଟାରୁ ଅପରାହ୍ଣ ୧୨ଟା ପର୍ଯ୍ୟନ୍ତ ପ୍ରତିଦିନ ପକ୍ଷୀ ଗଣନା କାର୍ଯ୍ୟ ଚାଲିବ। ଭିତରକନିକାର ବିଭିନ୍ନ ଅଞ୍ଚଳରେ ଦେଶୀୟ ପକ୍ଷୀଙ୍କ ଉପସ୍ଥିତି ଓ ସଂଖ୍ୟା ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇ ଏହାର ସଂରକ୍ଷଣ ଓ ପରିଚାଳନା ପାଇଁ ଆଗାମୀ ଯୋଜନାରେ ଏହାକୁ ବ୍ୟବହାର କରାଯିବ।

