Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Soumya Ranjan Case: ହାଇକୋର୍ଟରେ ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ, ଏବେ ରାୟ ଉପରେ ନଜର

କଟକ: ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନ ଉପରେ ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ନିମ୍ନ ଅଦାଲତରେ ବ୍ୟକ୍ତିଗତ ହାଜିରାରୁ ମୁକ୍ତି ଏବଂ ଅନ୍ତରୀଣ ସୁରକ୍ଷା ସମ୍ପର୍କିତ ଆବେଦନକୁ ନେଇ ଏହି ଶୁଣାଣି ହୋଇଥିଲା।

ବିଦ୍ୟାଭାରତୀ ପାରଳାଖେମୁଣ୍ଡି SDJM କୋର୍ଟରେ CrPC ଧାରା ୨୦୫ ଅନୁଯାୟୀ ବ୍ୟକ୍ତିଗତ ହାଜିରାରୁ ମୁକ୍ତି ପାଇଁ ଆବେଦନ କରିଥିଲେ। ତେବେ ନିମ୍ନ ଅଦାଲତ ତାଙ୍କ ଆବେଦନ ଖାରଜ କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାରେ ବିଦ୍ୟାଭାରତୀଙ୍କ ବିରୋଧରେ NBW ଜାରି ହୋଇଥିବା ବେଳେ, ପୂର୍ବରୁ ସେ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ପାଇଥିବା ଜଣାପଡ଼ିଛି।

୨୦୨୧ ଜୁଲାଇ ୧୧ରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ACF ସୌମ୍ୟରଞ୍ଜନ ଗୁରୁତର ଭାବେ ପୋଡ଼ି ଯାଇଥିଲେ ଏବଂ ଜୁଲାଇ ୧୩ରେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ଘଟଣାକୁ ନେଇ ପରିବାର ପକ୍ଷରୁ ଅଭିଯୋଗ ପରେ ତଦନ୍ତ ହୋଇଥିଲା। ମାମଲାରେ ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରା ଗିରଫ ହୋଇସାରିଥିବା ବେଳେ ରୋଷେୟା ମନ୍ମଥ କୁଣ୍ଡୁ ଫେରାର ଥିବା ସୂଚନା ରହିଛି। ବର୍ତ୍ତମାନ ବିଦ୍ୟାଭାରତୀଙ୍କ ଆବେଦନ ଉପରେ ହାଇକୋର୍ଟଙ୍କ ରାୟକୁ ଅପେକ୍ଷା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories