Mayurbhanj Crime:ସାବତ ଶ୍ୱଶୁରଙ୍କ ଲୁହା ରଡ୍ ଆକ୍ରମଣରେ ଜ୍ୱାଇଁ ମୃତ! ପୋଲିସର ତଦନ୍ତ ଜାରି
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ମଝିଗଡ଼ିଆ ମଥୁରାସାହି ଗାଁରେ ଜ୍ୱାଇଁଙ୍କୁ ଲୁହା ରଡ୍ରେ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ରମେଶ ବିନ୍ଧାଣୀ। ସେ ନିଜ ସ୍ତ୍ରୀ ଭାରତୀ ହେମ୍ବ୍ରମଙ୍କ ସହ ଶ୍ୱଶୁର ଘର ମଥୁରାସାହିରେ ରହୁଥିଲେ। ରମେଶଙ୍କ ଶ୍ୱଶୁର ଦାମଦୋର ହୋ ତାଙ୍କ ଝିଅ ଓ ଜ୍ୱାଇଁ ଏକାଠି ରହିବାକୁ ପୂର୍ବରୁ ଅନେକଥର ବିରୋଧ କରିଥିବା କୁହାଯାଉଛି।
ଘଟଣାଟି ଗତକାଲି ରାତିରେ ଘଟିଥିବା ବେଳେ ରମେଶ ଓ ତାଙ୍କ ସାବତ ଶ୍ୱଶୁରଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଉଭୟ ନିଶାସକ୍ତ ଥିବା ବେଳେ ବଚସା ଉଗ୍ର ରୂପ ନେଇଥିବା ଅଭିଯୋଗ ହୋଇଛି। ଏହି ସମୟରେ ଦାମଦୋର ଏକ ଲୁହା ରଡ୍ରେ ରମେଶଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରମେଶଙ୍କ ସ୍ତ୍ରୀ ଓ ଶାଶୁ ଏହାକୁ ବିରୋଧ କରିବାରୁ ସେମାନଙ୍କୁ ମଧ୍ୟ ମାଡ଼ ମରାଯାଇଥିବା କୁହାଯାଉଛି।
ଲୁହା ରଡ୍ ମାଡ଼ରେ ରମେଶଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ପରିବାର ଲୋକେ ତାଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ରମେଶଙ୍କ ମୃତ୍ୟୁ ହୋଇଛି। ଖବର ପାଇ କପ୍ତିପଦା ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିଛି। ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଆକ୍ରମଣର ପ୍ରକୃତ କାରଣ ଓ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

