Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Nayagarh Bus Accident: ନିୟନ୍ତ୍ରଣ ହରାଇ ଗଛରେ ପିଟିଲା ବସ୍‌, ଡ୍ରାଇଭର ମୃତ; ୨୫ରୁ ଅଧିକ ଯାତ୍ରୀ ଆହତ

ନୟାଗଡ଼: ନୟାଗଡ଼ରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭୁବନେଶ୍ୱରରୁ ନୟାଗଡ଼ ଆସୁଥିବା ‘ନୀଳକଣ୍ଠେଶ୍ୱର’ ନାମକ ଘରୋଇ ଯାତ୍ରୀବାହୀ ବସ୍‌ ବାଉଁଶିଆପଡ଼ା ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଛି। ଦୁର୍ଘଟଣାରେ ବସ୍‌ ଡ୍ରାଇଭର ନିରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି।

ସୂଚନା ଅନୁସାରେ, ଦୁର୍ଘଟଣା ସମୟରେ ବସ୍‌ରେ ୩୫ରୁ ଅଧିକ ଯାତ୍ରୀ ଥିଲେ। ଧକ୍କା ଏତେ ଭୟଙ୍କର ଥିଲା ଯେ ଗଛର ଏକ ଅଂଶ ବସ୍‌ ଭିତରକୁ ପଶିଯାଇଥିଲା। ବସ୍‌ ଅଧିକ ବେଗରେ ଥିବା ସହ ଡ୍ରାଇଭର ଫୋନ୍‌ରେ କଥା ହେଉଥିବାରୁ ଦୁର୍ଘଟଣା ଘଟିଥିବା ବସ୍‌ ହେଲପର୍‌ ଅଭିଯୋଗ କରିଛନ୍ତି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ସମ୍ପର୍କରେ ଅଧିକ ତଦନ୍ତ ପରେ ସ୍ପଷ୍ଟ ହେବ। ଖବର ପାଇ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ।

ଦୁର୍ଘଟଣା ପରେ ଆହତମାନଙ୍କ ଚିକିତ୍ସା ଓ ଗୁରୁତରଙ୍କୁ ଭୁବନେଶ୍ୱର ପଠାଇବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ବିଧାୟକ ଅରୁଣ ସାହୁ ମଧ୍ୟ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିବା କହିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆହତମାନଙ୍କୁ ରେଡ୍‌କ୍ରସ୍‌ ପକ୍ଷରୁ ତୁରନ୍ତ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଇଛି। ଅନ୍ୟପକ୍ଷରେ, ରେଫର୍‌ ହେଉଥିବା ଆହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories