୩ ମାସରେ ୫୦ ଗୋଟି ସାଇକେଲ ଚୋରି କରିଥିବା ସିରିଜ ସାଇକେଲ ଚୋର ଗିରଫ
୩ ମାସରେ ୫୦ ଗୋଟି ସାଇକେଲ ଚୋରି କରିଥିବା ସିରିଜ ସାଇକେଲ ଚୋର ଗିରଫ
ପାରଳାଖେମୁଣ୍ଡି:୧୧/୯(ଗରୁଡ଼ ଧ୍ଵଜ ଚୌଧୁରୀ) ପାରଳାଖେମୁଣ୍ଡି ପୋଲିସ ସିରିଜ୍ ସାଇକେଲ ଚୋରି ଘଟଣାର ସଫଳ ତଦନ୍ତ କରି ଗତ ୩ ମାସ ମଧ୍ୟରେ 50 ଗୋଟି ସାଇକେଲ ଚୋରି କରିଥିବା ସିରିଜ ଚୋରକୁ ଗିରଫ କରିଛନ୍ତି. ସେ ହେଉଛନ୍ତି ଭବାନୀ ପ୍ରସାଦ ଦାଶ (୫୨), ପିତା- ସ୍ୱର୍ଗତ ଚନ୍ଦ୍ରଶେଖର ଦାଶ, ଗ୍ରାମ- ରାଣାଦେବୀ, ଥାନା- ଗୁରାଣ୍ଡି, ଜିଲ୍ଲା- ଗଜପତି ଅଟନ୍ତି. ଏ ସମ୍ପର୍କରେ ପାରଳାଖେମୁଣ୍ଡି ଥାନା କେସ୍ ନଂ-୩୭୦, ଦଫା ୩୦୩ (୨) ବିଏନଏସରେ ମାମଲା ରୁଜୁ ହୋଇଛି। ତଦନ୍ତ ସମୟରେ ପୋଲିସ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍ ଓ ଅନ୍ୟାନ୍ୟ ତଥ୍ୟ ପ୍ରମାଣ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ପଚରାଉଚରା ସମୟରେ ଅଭିଯୁକ୍ତ ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରୁ ବାରମ୍ବାର ସାଇକେଲ ଚୋରି କରିଥିବା ସମ୍ପର୍କରେ ସୂଚନା ଦେଇଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ, ଗତ ପ୍ରାୟ ୩ ମାସ ମଧ୍ୟରେ ସେ ପାରଳାଖେମୁଣ୍ଡି ସହରରୁ ପ୍ରାୟ ୫୦ ଟି ସାଇକେଲ ଚୋରି କରିଥିବା ଅଭିଯୋଗ ରହିଛି ଏବଂ ସେଥିମଧ୍ୟରୁ ଅନେକ ସାଇକେଲ ବିଭିନ୍ନ ସ୍ଥାନରେ ବିକ୍ରି କରିଥିବା ଜଣାପଡ଼ିଛି। ପୋଲିସର ତଦନ୍ତ ଓ ଅଭିଯୁକ୍ତଙ୍କଠାରୁ ମିଳିଥିବା ସୂଚନା ଆଧାରରେ ବର୍ତ୍ତମାନ ସୁଦ୍ଧା ମୋଟ ୧୩ଟି ଚୋରି ସାଇକେଲ ଉଦ୍ଧାର କରାଯାଇଛି ଏବଂ ଅବଶିଷ୍ଟ ଚୋରି ସାଇକେଲ ଗୁଡ଼ିକୁ ଠାବ ଓ ଉଦ୍ଧାର କରିବା ପାଇଁ ପୋଲିସର ଉଦ୍ୟମ ଜାରି ରହିଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଇଛି। ଏହି ମାମଲାର ସଫଳ ତଦନ୍ତ, ଅଭିଯୁକ୍ତଙ୍କୁ ଚିହ୍ନଟ ଓ ଚୋରି ସାଇକେଲ ଉଦ୍ଧାର କାର୍ଯ୍ୟରେ ପାରଳାଖେମୁଣ୍ଡି ଥାନାର ଏସ୍.ଆଇ. ପ୍ରଫୁଲ୍ଲ ଜଗରଙ୍ଗା , ଏ.ଏସ୍.ଆଇ. କମଳାକାନ୍ତ ସାହୁ ଓ ହାବିଲଦାର ପୂର୍ଣ୍ଣଚନ୍ଦ୍ର ମିଶାଲ ସକ୍ରିୟ ଭାବେ କାର୍ଯ୍ୟ କରିଛନ୍ତି। ମାମଲାର ଅଧିକ ତଦନ୍ତ ଜାରି ରହିଛି ବୋଲି ପାରଳାଖେମୁଣ୍ଡି ଆଦର୍ଶ ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ପ୍ରଦାନ କରିଛନ୍ତି।

