Nobel Prize in Economics 2026: ଅର୍ଥନୀତିରେ ରବର୍ଟ ହଲ୍ ଓ ମାଇକେଲ୍ ଉଡଫୋର୍ଡଙ୍କୁ ମିଳିବ ନୋବେଲ୍ ସମ୍ମାନ
ନୂଆଦିଲ୍ଲୀ: ୨୦୨୬ ମସିହା ପାଇଁ ଅର୍ଥନୀତିରେ ନୋବେଲ୍ ପୁରସ୍କାର ଆମେରିକାର ଦୁଇ ଅର୍ଥନୀତିଜ୍ଞ ରବର୍ଟ ଇ. ହଲ୍ ଓ ମାଇକେଲ୍ ଉଡଫୋର୍ଡଙ୍କୁ ମିଳିଛି। ଅର୍ଥନୀତିକୁ ସ୍ଥିର ରଖିବା ପାଇଁ ଆବଶ୍ୟକ ନୀତି ଓ ମଡେଲ୍ର ମୂଳଦୁଆ ସୁଦୃଢ଼ କରିବାରେ ସେମାନଙ୍କ ଗବେଷଣାକୁ ସ୍ୱୀକୃତି ଦେଇ ରୟାଲ୍ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନ୍ସେସ୍ ଏହି ସମ୍ମାନ ଘୋଷଣା କରିଛି। ବିଶେଷକରି ମୁଦ୍ରାସ୍ଫୀତି, ଆର୍ଥିକ ମାନ୍ଦାବସ୍ଥା ଓ ଅନ୍ୟାନ୍ୟ ଆର୍ଥିକ ଝଟ୍କାର ମୁକାବିଲାରେ ସେମାନଙ୍କ ଗବେଷଣା ନୀତି ନିର୍ଦ୍ଧାରକଙ୍କୁ ସହାୟତା କରିଛି।
ଉଭୟ ଅର୍ଥନୀତିଜ୍ଞଙ୍କ କାମ ବୃହତ୍ ଅର୍ଥନୀତିର ସ୍ଥିରତାକୁ ବୁଝିବା ପାଇଁ ବ୍ୟକ୍ତି, ପରିବାର ଓ ବ୍ୟବସାୟର ଆର୍ଥିକ ନିଷ୍ପତ୍ତିକୁ ଗୁରୁତ୍ୱ ଦିଏ। ଏହି ଗବେଷଣା ଆଧାରରେ ସରକାର ଓ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁଧହାର, ସରକାରୀ ବ୍ୟୟ ଏବଂ ମୁଦ୍ରାନୀତିର ପ୍ରଭାବକୁ ଭଲ ଭାବେ ବୁଝିପାରନ୍ତି। ଫଳରେ ଅର୍ଥନୈତିକ ସଙ୍କଟ ସମୟରେ ଉପଯୁକ୍ତ ନୀତି ପ୍ରସ୍ତୁତ କରିବା ଏବଂ ଆର୍ଥିକ ଅସ୍ଥିରତାର ପ୍ରଭାବ କମାଇବାରେ ସହାୟତା ମିଳିଥାଏ।
ଅର୍ଥନୀତିରେ ଏହି ପୁରସ୍କାରର ଆଧିକାରିକ ନାମ ହେଉଛି ‘Sveriges Riksbank Prize in Economic Sciences in Memory of Alfred Nobel’। ସ୍ୱିଡେନ୍ର କେନ୍ଦ୍ରୀୟ ବ୍ୟାଙ୍କ ୧୯୬୮ରେ ଏହାକୁ ପ୍ରତିଷ୍ଠା କରିଥିଲା ଏବଂ ୧୯୬୯ରୁ ପ୍ରଦାନ କରାଯାଉଛି। ଭାରତୀୟ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ୍ ୧୯୯୮ରେ ଏବଂ ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀ ୨୦୧୯ରେ ଏହି ପୁରସ୍କାର ପାଇଥିଲେ।

