Sunil Bharti Mittal France Honour: ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବେ ଏୟାରଟେଲ୍ ମୁଖ୍ୟ ସୁନୀଲ ଭାରତୀ ମିତ୍ତଲ
ନୂଆଦିଲ୍ଲୀ: ଭାରତୀ ଏଣ୍ଟରପ୍ରାଇଜେସ୍ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ସୁନୀଲ ଭାରତୀ ମିତ୍ତଲଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଲେଜିଅନ୍ ଡି’ଅନର୍’ ପ୍ରଦାନ କରାଯିବ। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ତାଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରିଛନ୍ତି। ଭାରତ ଓ ଫ୍ରାନ୍ସ ମଧ୍ୟରେ ଆର୍ଥିକ ସମ୍ପର୍କକୁ ମଜବୁତ କରିବା ସହ ଟେଲିକମ୍ ଓ ଡିଜିଟାଲ୍ ଭିତ୍ତିଭୂମି କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ଦିଆଯାଉଛି। ୧୮୦୨ ମସିହାରେ ନାପୋଲିଅନ୍ ବୋନାପାର୍ଟଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ସମ୍ମାନ ଫ୍ରାନ୍ସର ଏକ ପ୍ରମୁଖ ନାଗରିକ ସମ୍ମାନ।
ଭାରତରେ ଫ୍ରାନ୍ସର ରାଷ୍ଟ୍ରଦୂତ ଥିଏରି ମାଥୁ କହିଛନ୍ତି ଯେ, ୧୯୯୨ରେ ଏୟାରଟେଲ୍ ଆରମ୍ଭ ହେବା ସମୟରୁ ମିତ୍ତଲଙ୍କ ସହ ଫ୍ରାନ୍ସର ଦୀର୍ଘଦିନର ସମ୍ପର୍କ ରହିଛି। ଦୁଇ ଦେଶର ବ୍ୟବସାୟିକ ସହଯୋଗକୁ ଆଗକୁ ବଢ଼ାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି। ବର୍ତ୍ତମାନ ୟୁରୋପୀୟ ଉପଗ୍ରହ କମ୍ପାନୀ Eutelsatର ଉପାଧ୍ୟକ୍ଷ ଭାବେ ମଧ୍ୟ ସେ ମହାକାଶ ଓ ଡିଜିଟାଲ୍ ପ୍ରଯୁକ୍ତି କ୍ଷେତ୍ରରେ ଭାରତ-ଫ୍ରାନ୍ସ ସହଯୋଗକୁ ଆଗେଇ ନେଉଛନ୍ତି। ଏହି ସମ୍ମାନ ପ୍ରଦାନ ଉତ୍ସବ ଅକ୍ଟୋବର ୨୮, ୨୦୨୬ରେ ନୂଆଦିଲ୍ଲୀସ୍ଥିତ ଫ୍ରାନ୍ସ ଦୂତାବାସରେ ଆୟୋଜିତ ହେବ।
ଏହି ସମ୍ମାନ ପାଇଁ ମିତ୍ତଲ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କୁ କୃତଜ୍ଞତା ଜଣାଇଛନ୍ତି। ୧୯୯୨ରେ ଫ୍ରାନ୍ସର Compagnie Générale des Eaux ସହ ଭାରତୀ ଗ୍ରୁପ୍ର ସହଯୋଗରୁ ତାଙ୍କର ଫ୍ରାନ୍ସ ସହ ସମ୍ପର୍କ ଆରମ୍ଭ ହୋଇଥିଲା ବୋଲି ସେ କହିଛନ୍ତି। ଏହା ପୂର୍ବରୁ ୨୦୦୭ରେ ସେ ଭାରତର ପଦ୍ମଭୂଷଣ ସମ୍ମାନ ପାଇଥିଲେ। ୨୦୨୪ରେ ବ୍ରିଟେନ୍ର ରାଜା ଚାର୍ଲ୍ସ ତୃତୀୟ ତାଙ୍କୁ Knight Commander of the Order of the British Empire (KBE) ସମ୍ମାନ ପ୍ରଦାନ କରିଥିଲେ।

