Puri Street Vendors: ବଡ଼ଦାଣ୍ଡରୁ ହଟିବେ ଉଠା ଦୋକାନୀ! ଶ୍ରୀ ସେତୁ ନିକଟରେ ଥଇଥାନ ପାଇଁ ନିଷ୍ପତ୍ତି
ପୁରୀ: ଶ୍ରୀକ୍ଷେତ୍ର ପୁରୀର ବଡ଼ଦାଣ୍ଡକୁ ଅବରୋଧମୁକ୍ତ କରିବା ପାଇଁ ଉଠା ଦୋକାନୀଙ୍କୁ ହଟାଇବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପୁରୀ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା ପରେ ଏହି ପଦକ୍ଷେପ ନିଆଯାଇଛି। ବଡ଼ଦାଣ୍ଡରେ ଦୋକାନ ଖୋଲି ବିଭିନ୍ନ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ସେଠାରୁ ହଟାଇ ଶ୍ରୀ ସେତୁ ନିକଟରେ ଥଇଥାନ କରିବାକୁ ଯୋଜନା ରହିଛି। ଏହାଦ୍ୱାରା ବଡ଼ଦାଣ୍ଡରେ ଯାତାୟାତ ସୁବିଧାଜନକ ହେବ ବୋଲି କୁହାଯାଉଛି।
ଏହା ପୂର୍ବରୁ ୨୦୨୩ରେ ଶ୍ରୀମନ୍ଦିରଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ଅଞ୍ଚଳରୁ ପ୍ରାୟ ୧,୬୦୦ ଉଠା ଦୋକାନୀଙ୍କୁ ହଟାଯାଇଥିଲା। ସେମାନଙ୍କ ମଧ୍ୟରୁ ପ୍ରାୟ ୧,୨୦୮ ଜଣଙ୍କୁ ଥଇଥାନ ପାଇଁ ଆର୍ଥିକ ସହାୟତା ଦିଆଯାଇଥିବା ସୂଚନା ରହିଛି। ଶ୍ରୀ ସେତୁ ନିକଟରେ ଦୋକାନ ଖୋଲିବା ପର୍ଯ୍ୟନ୍ତ ପ୍ରତ୍ୟେକ ଦୋକାନୀଙ୍କୁ ୧୫ ହଜାର ଟଙ୍କା ଦେବାକୁ ସରକାର ପ୍ରତିଶ୍ରୁତି ଦେଇଥିବା ବ୍ୟବସାୟୀମାନେ ଦାବି କରିଛନ୍ତି। ତେବେ ଏହି ଅର୍ଥ ଏଯାଏ ମିଳିନଥିବା ନେଇ କେତେକ ଦୋକାନୀ ଅଭିଯୋଗ କରିଛନ୍ତି।
ଅନ୍ୟପଟେ, ଶ୍ରୀ ସେତୁ ନିକଟରେ ପ୍ରାୟ ୮୦୦ଟି ଦୋକାନ ଥିବା ସତ୍ତ୍ୱେ ବିଦ୍ୟୁତ୍ ସଂଯୋଗ ବ୍ୟବସ୍ଥା ହୋଇନଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ବଡ଼ଦାଣ୍ଡରୁ ପୁଣି ଉଠା ଦୋକାନୀଙ୍କୁ ହଟାଇବା ନିଷ୍ପତ୍ତିକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଦୋକାନୀଙ୍କୁ ହଟାଇବା ପୂର୍ବରୁ ଥଇଥାନ ସ୍ଥଳରେ ଆବଶ୍ୟକ ସୁବିଧା ଯୋଗାଇବା ସହ ପୂର୍ବ ପ୍ରତିଶ୍ରୁତି ପୂରଣ ହେବ କି ନାହିଁ, ତାହା ଏବେ ମୁଖ୍ୟ ପ୍ରଶ୍ନ ହୋଇଛି।

