Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Nilagiri Petrol Pump Blast: ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ, ଜଣେ ମୃତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ନୀଳଗିରି ସହରର ୭ ନମ୍ବର ୱାର୍ଡ ବାଳିଗୋହିରୀସ୍ଥିତ ସତ୍ୟସାଇ ଫିଲିଂ ଷ୍ଟେସନରେ ଏକ ପୁରୁଣା ତେଲ ଟାଙ୍କିକୁ ଗ୍ୟାସ୍‌ କଟରରେ କଟାଯାଉଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। କଲିକତା ଅଞ୍ଚଳର ତିନି ଜଣ ଗ୍ୟାସ୍‌ କର୍ମଚାରୀ ଟାଙ୍କି କାଟୁଥିବା ସମୟରେ ହଠାତ୍‌ ନିଆଁ ଲାଗିବା ସହ ଟାଙ୍କିଟି ବିସ୍ଫୋରଣ ହୋଇଥିଲା।

ଏହି ଘଟଣାରେ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ରେମୁଣା ବ୍ଲକ୍‌ ବିମୁରିଆ ଗ୍ରାମର ହୁଆ ଓରଫ ବୀରେନ୍ଦ୍ର ସିଂହଙ୍କ ମୃତ୍ୟୁ ହୋଇଛି। ଟାଙ୍କିର ଢାଙ୍କୁଣୀ ତାଙ୍କ ଦେହରେ ବାଜିବାରୁ ସେ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ଖବର ପାଇ ନୀଳଗିରି ଥାନା ଆଇଆଇସି ଗୋବର୍ଦ୍ଧନ ନାୟକ ଘଟଣାସ୍ଥଳରେ ପହଞ୍ଚି ପେଟ୍ରୋଲ ପମ୍ପ ମାଲିକ ଦୀପ୍ତିକାନ୍ତ ମହାପାତ୍ର, ମ୍ୟାନେଜର କମଳାଲୋଚନ ନାୟକ, ଗ୍ୟାସ୍‌ କଟର ଚାଳକ ଓ ଅନ୍ୟ ଦୁଇ କର୍ମଚାରୀଙ୍କୁ ଥାନାକୁ ନେଇଥିବା ସୂଚନା ମିଳିଛି।

ଘଟଣା ପରେ ପେଟ୍ରୋଲ ପମ୍ପ ପରିସରରେ ଉତ୍ତେଜନା ଦେଖାଦେଇଛି। ମୃତକଙ୍କ ପରିବାରକୁ ନ୍ୟାୟ ଓ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ ୧୯ ନମ୍ବର ରାଜ୍ୟ ରାଜପଥର ଶେରଗଡ଼-ନୀଳଗିରି ରାସ୍ତାରେ ମୃତଦେହ ରଖି ଅବରୋଧ କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ