Nitin Gadkari on Expressway Speed Limit: ୧୨୦ କିମି ବେଗରେ ଗାଡ଼ି ଚଳାଇଲେ ଚାଲାଣ ନାହିଁ, ୨୦% ଅଧିକ ବେଗକୁ ନେଇ ଗଡ଼କରୀଙ୍କ ବୟାନ!
ନୂଆଦିଲ୍ଲୀ: ଏକ୍ସପ୍ରେସ୍ୱେରେ ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ଏକ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ। ତାଙ୍କ କହିବା ଅନୁସାରେ, ଏକ୍ସପ୍ରେସ୍ୱେରେ ଘଣ୍ଟାପ୍ରତି ୧୨୦ କିଲୋମିଟର ବେଗରେ ଗାଡ଼ି ଚଳାଉଥିବା ଚାଳକଙ୍କ ବିରୋଧରେ ଅତ୍ୟଧିକ ବେଗ ପାଇଁ ଚାଲାଣ କାଟିବା ଉଚିତ୍ ନୁହେଁ। ଏନେଇ ସମ୍ପୃକ୍ତ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।
ଗଡ଼କରୀ ଆହୁରି କହିଛନ୍ତି ଯେ, ଧାର୍ଯ୍ୟ ବେଗଠାରୁ ୨୦ ପ୍ରତିଶତ ଅଧିକ ବେଗରେ ଗାଡ଼ି ଚଳାଇଲେ ମଧ୍ୟ ଚାଳକଙ୍କୁ କିଛିଟା ରିହାତି ଦେବା ଉଚିତ୍। ଏହି ହିସାବରେ ଯେଉଁ ଏକ୍ସପ୍ରେସ୍ୱେରେ ସର୍ବାଧିକ ବେଗ ସୀମା ଘଣ୍ଟାପ୍ରତି ୧୨୦ କିଲୋମିଟର ରହିଛି, ସେଠାରେ ୧୪୪ କିଲୋମିଟର ପର୍ଯ୍ୟନ୍ତ ବେଗକୁ ରିହାତି ଦେବା କଥା ସେ କହିଛନ୍ତି। କିନ୍ତୁ ଏନେଇ ଜାତୀୟ ପରିବହନ ବିଭାଗ ପକ୍ଷରୁ ସରକାରୀ ସ୍ତରରେ କୌଣସି ସୂଚନା ଘୋଷଣା କରାଯାଇ ନାହିଁ | ରାସ୍ତାରେ ଲାଗିଥିବା ଧାର୍ଯ୍ୟ ବେଗ ସୀମା ଅନୁସାରେ ଏବେ ମଧ୍ୟ ପାଳନ କରିବାକୁ ପଡ଼ିବ।
ଏହାସହ ରାଜପଥରେ ଯାତାୟାତ ନିୟନ୍ତ୍ରଣ ଓ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଗଡ଼କରୀ କୃତ୍ରିମ ବୁଦ୍ଧିମତ୍ତା (AI) ଆଧାରିତ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି | ଏହାଦ୍ୱାରା ରାଜପଥରେ ଗାଡ଼ି ଚଳାଚଳ ଉପରେ ନଜର ରଖିବା ଓ ନିୟମ ଉଲ୍ଲଂଘନ ଚିହ୍ନଟ କରିବା ସହଜ ହୋଇପାରିବ। ତେବେ ଚାଳକମାନେ ଯାତାୟାତ କରୁଥିବା ରାସ୍ତାରେ ଲାଗିଥିବା ବେଗ ସୀମା ଓ ଟ୍ରାଫିକ୍ ନିୟମ ପାଳନ କରିବା ଜରୁରୀ।

