Odisha Weather Update: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ଆଶଙ୍କା! ନଭେମ୍ବର ୧୭ରୁ ୨୦ ଯାଏଁ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର: ନିକଟରେ ବାତ୍ୟା ଅର୍ଣ୍ଣବ ଏବଂ ମୁରାସୁ ପ୍ରଭାବରୁ ଓଡ଼ିଶାରେ ବର୍ଷା ମାତ୍ରା ଅଧିକ ରହିଥିଲା | ଏବେ ପୁଣି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି। ପାଣିପାଗ ଆକଳନ ଅନୁସାରେ, ନଭେମ୍ବର ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୧୪ ତାରିଖ ସୁଦ୍ଧା ଅଧିକ ସ୍ପଷ୍ଟ ହେବା ସହ ୧୫ ତାରିଖ ବେଳକୁ ଅବପାତର ରୂପ ନେଇପାରେ। ନଭେମ୍ବର ୧୪ରୁ ୧୬ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୬୦ କିଲୋମିଟର ଛୁଇଁପାରେ। ଏହାର ପ୍ରଭାବରେ ନଭେମ୍ବର ୧୭ରୁ ୨୦ ତାରିଖ ମଧ୍ୟରେ ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି।
ଅନ୍ୟପଟେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏବେ ଧାନ ଅମଳ କରିବାରେ ଲାଗିଛନ୍ତି ଚାଷୀ । ଏବେ ଚାଷୀମାନେ ବିଲରୁ ଧାନ କାଟି ଖଳାକୁ ଆଣୁଥିବା ବେଳେ ଲଘୁଚାପ ଜନିତ ବର୍ଷା ଆଶଙ୍କା ସେମାନଙ୍କ ପୁଣି ଥରେ ଚିନ୍ତା ବଢ଼ାଇଛି। ବିଶେଷ କରି ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଭଳି ଉପକୂଳ ଜିଲ୍ଲାର ଚାଷୀମାନେ ଧାନ ଅମଳ ଓ ସୁରକ୍ଷିତ ଭାବେ ରଖିବାକୁ ନେଇ ଚିନ୍ତିତ ଅଛନ୍ତି।
ସେପଟେ ଲଘୁଚାପ ଯୋଗୁଁ ବର୍ଷା ଓ ମେଘୁଆ ପାଗ କମିବା ପରେ ରାଜ୍ୟରେ ଉତ୍ତର ସାମୁଦ୍ରିକ ପବନ ବହିବା ଆରମ୍ଭ ହେବ। ଏହାର ପ୍ରଭାବରେ ନଭେମ୍ବର ଶେଷ ସପ୍ତାହ ଆଡ଼କୁ ରାତିର ତାପମାତ୍ରା ଯଥେଷ୍ଟ କମିବା ସହ ଶୀତ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

