Italy Bomb Threat: ଇଟାଲୀର ୬ ହଜାରରୁ ଅଧିକ ସ୍କୁଲ୍କୁ ବୋମା ଧମକ, ପ୍ରଧାନମନ୍ତ୍ରୀ ମେଲୋନିଙ୍କ ଗାଡ଼ିକୁ ମଧ୍ୟ ଟାର୍ଗେଟ୍ କରିବା ଦାବି
ନୂଆଦିଲ୍ଲୀ: ଇଟାଲୀର ୬ ହଜାରରୁ ଅଧିକ ସ୍କୁଲ୍କୁ ଇମେଲ୍ ମାଧ୍ୟମରେ ବୋମା ବିସ୍ଫୋରଣର ଧମକ ମିଳିବା ପରେ ଦେଶବ୍ୟାପୀ ସୁରକ୍ଷା ଆଲର୍ଟ ଜାରି ହୋଇଛି। ଏହି ଧମକରେ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଗାଡ଼ିରେ ମଧ୍ୟ ବୋମା ରଖାଯାଇଥିବା ଦାବି କରାଯାଇଥିଲା। ଏକାଧିକ ସ୍କୁଲ୍କୁ ସମାନ ଧରଣର ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ ୩୦୦ରୁ ଅଧିକ ସ୍କୁଲ୍ ଖାଲି କରାଯାଇଥିଲା। ଫଳରେ ଅନେକ ଶିକ୍ଷାନୁଷ୍ଠାନରେ ପାଠପଢ଼ା ବାଧାପ୍ରାପ୍ତ ହୋଇଥିଲା।
ରାଜଧାନୀ ରୋମ୍ଠାରୁ ଆରମ୍ଭ କରି ଉତ୍ତରରେ ଫ୍ରିଉଲି ଏବଂ ଦକ୍ଷିଣରେ ବାସିଲିକାଟା ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ସୁରକ୍ଷା ଯାଞ୍ଚ ଆରମ୍ଭ ହୋଇଥିଲା। ପୋଲିସ ଓ ସୁରକ୍ଷାକର୍ମୀ ଛାତ୍ରଛାତ୍ରୀ ଏବଂ ସ୍କୁଲ୍ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହ ପରିସରରେ ତଲାସୀ ଚଳାଇଥିଲେ। ‘ଟାଇମ୍ସ ଅଫ୍ ଇଣ୍ଡିଆ’ର ରିପୋର୍ଟ ଅନୁସାରେ, ‘ମିଖାଇଲ୍ ଆନ୍ଦ୍ରୋପୋସ୍’ ନାମରେ ନିଜକୁ ପରିଚୟ ଦେଇଥିବା ଜଣେ ବ୍ୟକ୍ତି ଏହି ଇମେଲ୍ ପଠାଇଥିବା ଦାବି କରାଯାଇଛି। ଇମେଲ୍ରେ ସ୍କୁଲ୍ ଭିତରେ ବିସ୍ଫୋରକ ରଖାଯାଇଥିବା ଏବଂ ଇଟାଲୀବାସୀଙ୍କ ଉପରେ ବଡ଼ ଆକ୍ରମଣ କରିବାକୁ ଧମକ ଦିଆଯାଇଥିଲା।
ଇଟାଲୀର ଶିକ୍ଷାମନ୍ତ୍ରୀ ଜୁସେପେ ଭାଲଡିତାରା ଏକ ଟିଭି ଚ୍ୟାନେଲ୍କୁ ମନ୍ତବ୍ୟ ଦେଇ କହିଛନ୍ତି ଯେ, ଅତି କମ୍ରେ ୩୦୦ଟି ସ୍କୁଲ୍ରୁ ଆଲର୍ଟ ମିଳିଛି ଏବଂ ଏହି ସଂଖ୍ୟା ବଢ଼ିପାରେ ମଧ୍ୟ । ରୋମ୍ର ଏକ ହାଇସ୍କୁଲ୍ରେ କିଛି ଛାତ୍ରଛାତ୍ରୀ ଖାଲି କରିବା ପାଇଁ ବାଜିଥିବା ଆଲାର୍ମକୁ ଛୁଟି ଘଣ୍ଟି ଭାବିଥିଲେ। ଉଲ୍ଲେଖଯୋଗ୍ୟ, ନଭେମ୍ବର ୨ ତାରିଖରେ ମଧ୍ୟ ଇଟାଲୀର ୨୭୦ରୁ ଅଧିକ ସ୍କୁଲ୍କୁ ଏଭଳି ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା, ଯାହା ପରେ ମିଥ୍ୟା ବୋଲି ଜଣାପଡ଼ିଥିଲା।

