AUS ଓ ENG ଉପରେ ଜରିମାନା ଲଗାଇଲା ଆଇସିସି, WTC ପଏଣ୍ଟ ବି କାଟିଲା


ନୂଆଦିଲ୍ଲୀ: ଆଜବେଷ୍ଟନ ଟେଷ୍ଟରେ ସ୍ଲୋ ଓଭର ରେଟ୍ କାରଣରୁ ଆଇସିସି ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଉପରେ ଜରିମାନା ଲଗାଇଛି। ଦୁଇ ଦଳର ଖେଳାଳିଙ୍କ ଉପରେ ୪୦ ପ୍ରତିଶତ ମ୍ୟାଚ୍ ଫି ସହିତ ଡବ୍ଲ୍ୟୁଟିସିର ୨-୨ ପଏଣ୍ଟ କଟା ଯାଇଛି। ଆଷ୍ଟ୍ରେଲିଆ ଆସେସ ୨୦୨୩ର ପ୍ରଥମ ଟେଷ୍ଟ ଜିତି ଡବ୍ଲ୍ୟୁଟିସିର ପଏଣ୍ଟ ଟେବୁଲରେ ୧୨ ପଏଣ୍ଟ ସହ ଖାତା ଖୋଲିଥିଲା। ମାତ୍ର ଆଇସିସିର ଜରିମାନା ପରେ ଖାତାରେ ୧୦ ପଏଣ୍ଟ ରହିଛି ଏବଂ ଇଂଲଣ୍ଡର ଖାତାରେ ରହିଛି ୨ ପଏଣ୍ଟ। ଏହାର ଅର୍ଥ ପଏଣ୍ଟ ଟେବୁଲରେ ଥିବା ସମସ୍ତ ଦଳଠୁ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ପଛରେ ଅଛନ୍ତି।

ଆଇସିସିର ପ୍ରେସ୍ ରିଲିଜ୍ ଅନୁସାରେ, ମ୍ୟାଚ୍ ରେଫରୀ ଆଣ୍ଡି ପାଇକ୍ରୋଫ୍ଟ ଦୁଇ ଦଳ ନିର୍ଦ୍ଧାରିତ ସମୟଠୁ ୨ ଓଭର ପଛରେ ରହିଥିବା ରିପୋର୍ଟରେ ଦର୍ଶାଇଥିଲେ। ଫଳରେ ଦୁଇ ଦଳ ଉପରେ ଏହି ଜରିମାନା ଲଗାଯାଇଛି। ଅଷ୍ଟ୍ରେଲିଆର ଅଧିନାୟକ ପାଟ୍ କମିନ୍ସ ଏବଂ ଇଂଲଣ୍ଡର ଅଧିନାୟକ ବେନ ଷୋକ୍ସ ଜରିମାନାକୁ ସ୍ଵୀକାର କରିଛନ୍ତି, ତେଣୁ ଔପଚାରିକ ଶୁଣାଣିର ଆଵଶ୍ୟକ ପଡ଼ି ନ ଥିଲା।

କଣ କହୁଛି ନିୟମ ?
ଆଇସିସିର ନିୟମ ଅନୁଯାୟୀ, ଆଚାର ସଂହିତା ଅନୁଚ୍ଛେଦ ୨.୨୨ ଅନୁସାରେ କୌଣସି ବି ଦଳ ସ୍ଲୋ ଓଭର ରେଟରେ ଦୋଷୀ ସାବ୍ୟସ୍ତ ହେଲେ ଖେଳାଳିଙ୍କ ଉପରେ ଓଭର ପିଛା ୨୦ ପ୍ରତିଶତ ମ୍ୟାଚ୍ ଫି ଜରିମାନା ଲଗାଯାଏ। ଅନୁଚ୍ଛେଦ ୧୬.୧୧.୨ ଅନୁସାରେ ଡବ୍ଲ୍ୟୁଟିସିରେ ସ୍ଲୋ ଓଭର ରେଟରେ ଦୋଷୀ ସାବ୍ୟସ୍ତ ହେଲେ ଦଳଗୁଡ଼ିକ ଉପରେ ଓଭର ପିଛା ୧ ପଏଣ୍ଟ କଟା ଯାଏ।

ଏହି ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆ ୨ ଓ୍ଵିକେଟରେ ଇଂଲଣ୍ଡକୁ ହରାଇଛି। ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୩୯୩ ରନରେ ଇନିଂସ ଘୋଷଣା କରିଥିଲା। ଜୋ ରୁଟ ନିଜ ଟେଷ୍ଟ କ୍ୟାରିୟରରେ ୩୦ମ ଶତକ ହାସଲ କରିଥିଲେ। ଏହାର ଜବାବରେ ଅଷ୍ଟ୍ରେଲିଆ ୩୮୬ ରନରେ ଅଲଆଉଟ୍ ହୋଇଥିଲା ଏବଂ ଇଂଲଣ୍ଡ ୭ ରନ ଅଗ୍ରଣୀ ହାସଲ କରିଥିଲା। ଉସ୍ମାନ ଖ୍ଵାଜା ଶତକ ହାସଲ କରିଥିଲେ। ଏହା ପରେ ଘରୋଇ ଇଂଲଣ୍ଡ ଦ୍ଵିତୀୟ ଇନିଂସରେ ୨୭୩ ରନରେ ଅଲଆଉଟ୍ ହୋଇଥିଲା ଏବଂ ଅଷ୍ଟ୍ରେଲିଆ ସମ୍ମୁଖରେ ରହିଥିଲା ୨୮୧ ରନର ବିଜୟ ଲକ୍ଷ୍ୟ। ଯାହାକୁ କଙ୍ଗାରୁ ୨ ଓ୍ଵିକେଟ୍ ବଳକା ଥାଇ ମ୍ୟାଚ୍ ଜିତି ନେଇଛି।