Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୀର୍ଘ ଦିନ ପରେ ଖୋଲିଲା ଶ୍ରୀମନ୍ଦିରର ପଶ୍ଚିମ ଦ୍ଵାର, କେବଳ ପୁରୀବାସୀଙ୍କୁ ପ୍ରବେଶ ଅନୁମତି

ପୁରୀ: ଦୀର୍ଘଦିନ ପରେ ଆଜି ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ଖୋଲିଛି | ପ୍ରାୟ ଦେଢ଼ ବର୍ଷ ପରେ ଭକ୍ତ ପାଇଁ ଏହି ଦ୍ୱାର ଖୋଲିଥିଲେ ବି ପ୍ରଥମ ପର୍ଯ୍ୟାୟରେ କେବଳ ପୁରୀ ସହରବାସୀ ପଶ୍ଚିମ ଦ୍ଵାର ଦେଇ ଦର୍ଶନ ପାଇଁ ଯାଇପାରିବେ। ପରିଚୟ ପତ୍ର ଦେଖାଇ ପୁରୀବାସୀ ପ୍ରବେଶ କରି ପାରିବେ। ପଶ୍ଚିମ ଦ୍ବାର ସମ୍ମୁଖରେ ଛୋଟ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବା ଦାବିରେ ଆନ୍ଦୋଳନ ଜୋରଦାର ହେଉଥିବା ବେଳେ ଆଜିଠାରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ଖୋଲିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। 

ସୂଚନାଯୋଗ୍ୟ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ସୁଦର୍ଶନ ପଟ୍ଟନାୟକ ରବିବାର ଜିଲ୍ଲାପାଳଙ୍କୁ ଏ ପ୍ରସଙ୍ଗରେ ଚିଠି ଲେଖି ପୁରୀ ବାସିନ୍ଦାଙ୍କ ଭାବାବେଗକୁ ଗୁରୁତ୍ଵ ଦେଇ ଅନ୍ତତଃ ଆଉ ଗୋଟିଏ ଦ୍ଵାର ଖୋଲିବା ପାଇଁ ଅନୁମତିଦେବାକୁ ଦାବି କରିଥିଲେ। ଯଦି ଏନେଇ ତ୍ବରିତ ନିଷ୍ପତ୍ତି ନିଆନଯାଏ, ତେବେ ସୋମବାରଠାରୁ ସେ ପଶ୍ଚିମ ଦ୍ବାର ସମ୍ମୁଖରେ ବସି ରହି ମହାପ୍ରଭୁଙ୍କୁ ପ୍ରାର୍ଥନା କରିବେ ବୋଲି କହିଥିଲେ।

ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିର ଚାରିଦ୍ବାରରେ ଭକ୍ତଙ୍କ ପ୍ରବେଶ ନେଇ ଦାବି ହୋଇ ଆସୁଥିଲା। ଗତ ୨୧ ତାରିଖରେ ପ୍ରଶାସନ ଏଥିପାଇଁ ଛତିଶାନିଯୋଗ ବୈଠକ ଡାକିଥିଲେ। ବୈଠକରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସବ୍‌କମିଟି ଗଢ଼ାଯାଇ ଏ ସମ୍ପର୍କରେ ଆଲୋଚନା କରି ନିଷ୍କର୍ଷ ବାହାର କରିବା ପାଇଁ କୁହାଯାଇଥିଲା। ରବିବାର ଦିନ କମିଟିର ଅଧ୍ୟକ୍ଷ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଅପରାହ୍‌ଣରେ କମିଟିର ଏକ ବୈଠକ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିଲା। ପରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି ଡାକ୍ତର କନୱର ବିଶାଳ ସିଂହଙ୍କ ସମେତ ପରିଚାଳନା କମିଟିର ସଦସ୍ୟବୃନ୍ଦ ଓ ସବ୍‌ କମିଟିର ସଦସ୍ୟମାନେ ପଶ୍ଚିମ ଦ୍ବାର ଓ ଅନ୍ୟ ଦ୍ବାର ବୁଲି ସ୍ଥିତି ପରଖିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ