Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜ୍ଞାନବାପୀ ମସଜିଦର ସର୍ଭେ ଉପରେ ଲାଗିଲା ରୋକ୍, ହିନ୍ଦୁ ପକ୍ଷଙ୍କୁ ଝଟକା

ନୂଆଦିଲ୍ଲୀ: ଜ୍ଞାନବାପୀ ମସଜିଦର ସର୍ଭେ ଉପରେ ଅନ୍ତରୀଣ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ। ଜୁଲାଇ ୨୬ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କୌଣସି ସର୍ଭେ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କୋର୍ଟ ମାମଲାରେ ମୁସଲିମ ପକ୍ଷଙ୍କୁ ହାଇକୋର୍ଟ ଯିବାକୁ କହିଛନ୍ତି। ବାରାଣସୀର ଡିଏମ କହିଛନ୍ତି ଯେ, ଆମେ ସୁପ୍ରିମକୋର୍ଟଙ୍କ ଆଦେଶର ପାଳନ କରିବୁ। ଦୁଇ ଦିନ ଭିତରେ ମୁସଲିମ ପକ୍ଷଙ୍କୁ ହାଇକୋର୍ଟ ଯିବାକୁ ହେବ ଯଦ୍ଵାରା ସର୍ଭେ ଉପରେ ରୋକ୍ କାଏମ ରହି ପାରିବ। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିରେ ମୁସଲିମ ପକ୍ଷଙ୍କୁ କିଛିଟା ଆଶ୍ଵସ୍ତି ମିଳିଥିବା ବେଳେ ହିନ୍ଦୁ ପକ୍ଷଙ୍କ ଝଟକା ଲାଗିଛି।

ଉଲ୍ଲେଖନୀୟ ଜିଲ୍ଲା ଜଜ ଏକେ ବିଶ୍ଵେଶ ଶୁକ୍ରବାର ମସଜିଦ ପରିସରର ବୈଜ୍ଞାନିକ ସର୍ବେକ୍ଷେଣ କରିବାକୁ ଆଦେଶ ଦେଇଥିଲେ। ଏଏସଆଇକୁ ଅଗଷ୍ଟ ୪ ସୁଦ୍ଧା ସର୍ଭେର ରିପୋର୍ଟ ବାରାଣସୀ ଜିଲ୍ଲା ଅଦାଲତଙ୍କୁ ପ୍ରଦାନ କରିବାର ଥିଲା। ଏହି ଆଦେଶ ପରେ ଏଏସଆଇ ଟିମ୍ ସୋମବାର ସକାଳ ୭ଟାରେ ଜ୍ଞାନବାପୀର ସର୍ଭେ କରିବାକୁ ପହଞ୍ଚିଥିଲେ। ମାତ୍ର ମୁସଲିମ ପକ୍ଷ ସର୍ଭେ ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। କୋର୍ଟ ସର୍ଭେ ଉପରେ ଦୁଇ ଦିନ ରୋକ୍ ଲଗାଇ ମସଜିଦ କମିଟିକୁ ହାଇକୋର୍ଟ ଯିବାକୁ କହିଛନ୍ତି।

ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼, ବିଚାରପତି ଜେବି ପାଦରିଓ୍ଵାଲା ଏବଂ ବିଚାରପତି ମନୋଜ ମିଶ୍ରଙ୍କ ପୀଠ ଜ୍ଞାନବାପୀ ମସଜିଦ ସମିତିର ଯାଚିକା ଉପରେ ତତ୍କାଳ ଶୁଣାଣି କରିବା ପରେ ଏହି ଆଦେଶ ଦେଇଛନ୍ତି। ଶୁଣାଣି ସମୟରେ ଏଏସଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି ଯେ, ମସଜିଦରୁ ଗୋଟିଏ ହେଲେ ଇଟା ହଟା ଯାଇ ନାହିଁ। ଖୁଦେଇ କରିବାର କୌଣସି ଯୋଜନା ବି ନାହିଁ। ବିନା କୌଣସି ଖୋଦେଇରେ ସର୍ଭେ କରାଯାଇ ପାରିବ। ହେଲେ ମୁସଲିମ ପକ୍ଷ ହାଇକୋର୍ଟଙ୍କ ନିଷ୍ପତ୍ତିର ଦଲିଲ୍ ଦେଇଥିଲେ। ଉଭୟ ପକ୍ଷଙ୍କ ତର୍କ ଶୁଣିବା ପରେ ସୁପ୍ରିମକୋର୍ଟ ସର୍ଭେ ଉପରେ ଅନ୍ତରୀଣ ରୋକ୍ ଲଗାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ