Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଳ ଲାଇନ ସହ ଯୋଡ଼ି ହେବ ଦେବଗଡ଼, ବାରକୋଟ ଏବଂ ଝାରସୁଗୁଡା ରେଳ ଲାଇନ ପ୍ରକଳ୍ପକୁ ମଞ୍ଜୁରୀ  

ଭୁବନେଶ୍ଵର: ଦେବଗଡ଼ ଜିଲ୍ଲା ପାଇଁ ଖିୁସିର ଖବର। ପ୍ରଥମ ଥର ପାଇଁ ରେଳ ଲାଇନ ସହ ଯୋଡ଼ି ହେବ ଦେବଗଡ଼। ଝାରସୁଗୁଡ଼ାରୁ ବାରକୋଟ୍ ନୂଆ ଲାଇନ ଡିପିଆର ପ୍ରସ୍ତୁତିକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ମିଳିଛି। ନୂଆ ଲାଇନ୍ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ପ୍ରକଳ୍ପକୁ ମଞ୍ଜୁରୀ ମିଳିବା ପାଇଁ ପ୍ରଧାନମନ୍ତ୍ରୀ ଏବଂ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୬୦ କିମି ବିଶିଷ୍ଟ ବାରକୋଟ ଏବଂ ଝାରସୁଗୁଡା ରେଳ ଲାଇନ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ଫାଇନାଲ ଲୋକେସନ୍ ସର୍ଭେ(ଏଫଏଲଏସ) କରିବା ପାଇଁ  ରେଳ ମନ୍ତ୍ରଣାଳୟ ମଞ୍ଜୁର କରିଛି । ନୂଆ ରେଳ ଲାଇନ ଶିଳ୍ପ ସମୃଦ୍ଧ ଅଞ୍ଚଳ ଝାରସୁଗୁଡା ଠାରୁ ଦେବଗଡ଼ ଜିଲ୍ଲାର ବାରକୋଟ୍ ସହ ସଂଯୋଗ କରିବ । ଏହି ପଦକ୍ଷେପ ଦ୍ୱାରା ଦେବଗଡ଼ ଜିଲ୍ଲା ପ୍ରଥମ ଥର ପାଇଁ ରେଳ ଲାଇନ ସହ ସଂଯୋଗ କରିବାକୁ ଯାଉଛି, ଯାହା ଖୁସିର ବିଷୟ ।  

ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ କଳ୍ପନାରେ ମୋଦି ସରକାର ଓଡ଼ିଶାକୁ ସବୁ କ୍ଷେତ୍ରରେ ପ୍ରାଥମିକତା ଦେଇ ଆସୁଛନ୍ତି । ଏହି ରେଳ ଲାଇନ କାର୍ଯ୍ୟକ୍ଷମ ହେଲେ ଝାରସୁଗୁଡା ଏବଂ ଦେବଗଡ଼ ଜିଲ୍ଲାରେ ବିକାଶର ନୂଆ ଧାରା ସୃଷ୍ଟି ହେବ । ଏହି ଅଞ୍ଚଳ ରେଳ ଭିତ୍ତିଭୂମି ସହ ସଠିକ୍ ଭାବରେ ଯୋଡ଼ିହେଲେ ଚାଷୀ ଭାଇମାନେ ଉପକୃତ ହେବା ସହ ଆର୍ଥିକ ଅଭିବୃଦ୍ଧି ଘଟିବ ।  ଦେବଗଡ ଜିଲ୍ଲାରେ ପର୍ଯ୍ୟଟନର ବିକାଶକୁ ମଧ୍ୟ ଗତି ମିଳିବ । ବିଶେଷ ଭାବରେ ଦେବଗଡବାସୀଙ୍କ ଦୀର୍ଘ ଦିନର ଅପେକ୍ଷାକୁ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ପୁନର୍ବାର କୃତଜ୍ଞତା ଜଣାଇଛନ୍ତି । 

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ଜୁଲାଇ ୧୦ ତାରିଖରେ ଦେବଗଡ ଜିଲ୍ଲାର ନାଗରିକ କମିଟିର ଅନୁରୋଧ କ୍ରମେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏ ସମ୍ପର୍କରେ ପତ୍ର ଲେଖିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ