Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ସୌମ୍ୟ ଜଣେ ସ୍ଵାର୍ଥପର ଓ ସୁବିଧାବାଦୀ ନେତା, ସ୍ଵାର୍ଥହାସଲ ପାଇଁ ଏଭଳି ମନ୍ତବ୍ୟ ଦେଉଛନ୍ତି’ – ଅନୁଭବ ପଟ୍ଟନାୟକ

ଭୁବନେଶ୍ୱର: ପାଠକ ଯଦି ଅଗଷ୍ଟ ୧୮ ତାରିଖ ଶୁକ୍ରବାର ଓଡ଼ିଶାର ଏକ ପ୍ରମୁଖ ଦୈନିକ ଖବରକାଗଜ ଉପରେ ନଜର ପକାଇବେ ପ୍ରଥମ ପୃଷ୍ଠାରେ ଦୁଇଟି ଜିନିଷ ଦେଖିବାକୁ ପାଇବେ। ପୃଷ୍ଠାର ଉପରେ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆମ ଘରର ହାଲଚାଲରେ ‘ଜନ୍ମଦିନର ଅନୁଚିନ୍ତା’ ଆଲେଖ୍ୟ ରହିଥିବା ବେଳେ ତଳେ ଓଡ଼ିଶା ସରକାରଙ୍କ ଏକ ବିଜ୍ଞାପନ ପ୍ରକାଶ ପାଇଛି। ବିଜ୍ଞାପନରେ ଫାଇଭ-ଟି ଓ ରାଜ୍ୟ ସରକାରଙ୍କ ଜନାଭୂମୀ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ରହିଛି। ନିଜ ଲେଖା ମାଧ୍ୟମରେ ସୌମ୍ୟରଞ୍ଜନ ପଟ୍ଟନାୟକ ଅନୁଚିନ୍ତା ଦର୍ଶାଉଥିବା ବେଳେ ଅନ୍ୟପଟେ ନିଜର ବ୍ୟବସାୟ ପାଇଁ ବିଜ୍ଞାପନ ଦେଇଛନ୍ତି। ଆଲେଖ୍ୟରେ ଯେଉଁ ବ୍ୟକ୍ତିଙ୍କ ସମାଲୋଚନା କରିଛନ୍ତି ସେହି ପୃଷ୍ଠାରେ ଫାଇଭ-ଟି ଲେଖାର ବିଜ୍ଞାପନ ଛାପିଛନ୍ତି। ଏଥିରୁ ଜଣାଯାଏ ଯେ, ସୌମ୍ୟଙ୍କ କହିବା ଏବଂ କରିବାରେ ମଧ୍ୟରେ ବହୁତ ଫରକ ରହିଛି। ନିଜର ସ୍ଵାର୍ଥ ପୂରଣ ପାଇଁ ସେ ବେଳେ ବେଳେ ଏମିତି ଆଲେଖ୍ୟ ଲେଖୁଥିବା ସାମାଜିକ ଗଣମାଧ୍ୟମରେ ମତ ପ୍ରକାଶ ପାଇଛି। ତାଙ୍କ ନାମରେ ଅନେକ ମିମ୍ସ ମଧ୍ୟ ସେୟାର ହେବାରେ ଲାଗିଛି।

ସୌମ୍ୟରଞ୍ଜନ ଜଣେ ସ୍ଵାର୍ଥପର ଓ ସୁବିଧାବାଦୀ ନେତା ବୋଲି କହିଛନ୍ତି ବିଜେଡି ନେତା ଅନୁଭବ ପଟ୍ଟନାୟକ। ସେ କହିଛନ୍ତି, ସୌମ୍ୟରଞ୍ଜନ ଜଣେ ଦଳ ଡିଆଁ ନେତା। କେତେବେଳେ କଂଗ୍ରେସ, କେତେବେଳେ ବିଜେଡି, ପୁଣି ଏନସିପି ଏମିତି ଜୀବନ ସାରା ସେ ଅନେକ ଦଳ ପରିବର୍ତ୍ତନ କରିଛନ୍ତି କେବଳ ନିଜର ସ୍ଵାର୍ଥ ହାସଲ ପାଇଁ। ଯେ ହେତୁ ବର୍ତ୍ତମାନ ଗୋଟିଏ ମନ୍ତ୍ରୀ ପଦ ଖାଲି ଅଛି ଏବଂ ସେହି ମନ୍ତ୍ରୀ ପଦ ପାଇଁ ତାଙ୍କର ଲାଳସା ରହିଛି। ମନ୍ତ୍ରୀ ପଦ ଆଶାରେ ସେ ବିଭିନ୍ନ ସମୟରେ ଏମିତି ମନ୍ତବ୍ୟ ଦେଇଥାନ୍ତି। ଚିରାଚରିତ ଭାବେ ଏହା ତାଙ୍କର ଅଭ୍ୟାସଗତ କାର୍ଯ୍ୟ। ଏଥିରେ କିଛି ନୂଆଁ କଥା ନୁହେଁ। ତାଙ୍କର ଏମିତି କାମ ଏକ ସାଧାରଣ କଥାରେ ପରିଣତ ହୋଇଗଲାଣି ବୋଲି ଅନୁଭବ କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି ସୌମ୍ୟ ବାବୁ ଚିରାଚରିତ ଢଙ୍ଗ, ଯେତେବେଳେ ତାଙ୍କର ସ୍ଵାର୍ଥ୍ୟହାନୀ ନୁହେଁ କିମ୍ବା ସ୍ଵାର୍ଥ୍ୟ ହାସଲ ପାଇଁ କିଛି ଅଭିଳାସ ରଖନ୍ତି ସେତେବେଳେ ସେ ଏମିତି କାମ କରିଥାନ୍ତି। ଏହିଭଳି ମନ୍ତବ୍ୟ ଦେବା ପାଇଁ ସେ ନିଜର ଖବରକାଗଜକୁ ବ୍ୟବହାର କରିଥାନ୍ତି। ସେ ବାହାନଗା ହେଉ କି ରେସଲରଙ୍କ କଥା ହେଉ କିମ୍ବା ମଣିପୁର ପ୍ରସଙ୍ଗରେ ସେ ବିଷୟରେ କିଛି ମନ୍ତବ୍ୟ ଦେଉ ନାହାନ୍ତି। କାହିଁକି ଏବଂ କେଉଁ ଭୟରେ ସେ ଉକ୍ତ ପ୍ରସଙ୍ଗରେ ମୁହଁ ଖୋଲୁ ନାହାନ୍ତି ସେ ଜାଣିଥିବେ। ତେଣୁ ସେ ଜଣେ ସ୍ଵାର୍ଥପର ଲୋକ। କେବଳ ନିଜର ସ୍ଵାର୍ଥ ପାଇଁ ଦଳ ପରିବର୍ତ୍ତନ କରିଥାନ୍ତି। ଆଉ ଏବେ ବିଜେପିକୁ ଯିବା ପାଇଁ ସେ ଆଶା ରଖିଛନ୍ତି ବୋଲି ବିଜେଡି ନେତା ଅନୁଭବ ପଟ୍ଟନାୟକ କହିଛନ୍ତି।

ସୂଚନାଯୋଗ୍ୟ, ଦୈନିକ ସମ୍ବାଦପତ୍ର ଆମ ଘରର ହାଲଚାଲରେ ‘ଜନ୍ମଦିନର ଅନୁଚିନ୍ତା’ ଆଲେଖ୍ୟ ରାଜ୍ୟ ରାଜନୀତିରେ ଚହଳ ପକାଇଛି। ଏହି ଲେଖା ମାଧ୍ୟମରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସିଧାସଳଖ ଫାଇଭ-ଟି ସଚିବଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ତାଙ୍କ ଆଲେଖ୍ୟକୁ ନେଇ ରାଜନୀତି ଉଠୁଛି ପଡ଼ୁଛି। ସୌମ୍ୟଙ୍କୁ ଦଳଭେଦି ବିଭୀଷଣ ମଧ୍ୟ କୁହାଯାଉଛି। ତାଙ୍କୁ ବିଜେଡିରେ ମନ୍ତ୍ରୀ ପଦ ମିଳି ନ ଥିବାରୁ ସେ ଔଷଧ ବିକଳରେ ତାଟିଆ କାମୁଡୁଥିବା କୁହାଯାଉଛି। ନିଜର ସ୍ଵାର୍ଥ୍ୟ ପାଇଁ ସେ ଆଗାମୀ ଦିନରେ ବିଜେଡି ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ ଖୁବ୍ ଚର୍ଚ୍ଚା ଲାଗି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ