Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅନ୍ତିମ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଦିଗପହଣ୍ଡିରେ ହେବ ଅନ୍ତିମ ସଂସ୍କାର

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅନ୍ତିମ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ପାତ୍ରଙ୍କ ନୟାପଲ୍ଲୀସ୍ଥିତ ବାସଭବନକୁ ଯାଇ ଶେଷ ଦର୍ଶନ କରିଛନ୍ତି। ସେ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଆଜି ସକାଳୁ ସେଠାରେ ସମର୍ଥକ ଓ ଶୁଭେଚ୍ଛୁମାନଙ୍କ ଭିଡ଼ ଲାଗି ରହିଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଗତକାଲିଠୁ ଅନେକ ନେତା, ବିଧାୟକ, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ଏବଂ ବିଶିଷ୍ଟ ବ୍ୟକ୍ତି ସୂର୍ଯ୍ୟଙ୍କ ବାସଭବନରେ ତାଙ୍କର ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ପୂର୍ବତନ ବାଚସ୍ପତି ତଥା ବରିଷ୍ଠ ବିଜେଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ଘଟିଛି । ସନ୍ଧ୍ୟା ୭ଟା ୩୧ମିନିଟରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଗଞ୍ଜାମ ଦିଗପହଣ୍ଡିର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ କାର୍ଯ୍ୟ ତୁଲାଇଛନ୍ତି । ସୂର୍ଯ୍ୟ ପାତ୍ର ଥରେ ବାଚସ୍ପତି ୭ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଗଜପତି କିଲ୍ଲା ମୋହନାରୁ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳରୁ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସୂର୍ଯ୍ୟ ନାରାୟଣ ପାତ୍ର ।

ଗତକାଲି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଥିଲେ। ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ପାତ୍ରଙ୍କୁ ଜଣେ ଦକ୍ଷ ପ୍ରଶାସକ ଓ ସଂଗଠକ ଭାବେ ବର୍ଣ୍ଣନା କରିଛନ୍ତି। ବିଭିନ୍ନ ବିଭାଗର ମନ୍ତ୍ରୀ ଭାବରେ ସେ ରାଜ୍ୟର ଉନ୍ନୟନ ପ୍ରକ୍ରିୟାକୁ କ୍ରିୟାଶୀଳ କରିଥିଲେ। ବାଚସ୍ପତି ଭାବେ ଓଡିଶାରେ ସଂସଦୀୟ ପରମ୍ପରାର ମର୍ଯ୍ୟାଦକୁ ଅକ୍ଷୁର୍ଣ୍ଣ ରଖିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।

1990ରେ ସୂର୍ଯ୍ୟନାରାୟଣ ପ୍ରଥମେ ଜନତା ଦଳରୁ ମୋହନ ସିଟରୁ ନିର୍ବାଚନ ଲଢି ବିଧାୟକ ହୋଇଥିଲେ। ପୁଣି 1995ରେ ଜନତା ଦଳ ଟିକେଟରେ ଉକ୍ତ ସିଟରୁ ପୁନର୍ବାର ବିଧାୟକ ହୋଇଥିଲେ। 2000 ମସିହାରୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ଲଗାତାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ମୋହନା ସିଟରୁ ଚାରି ଥର ଏବଂ ଦିଗପହଣ୍ଡି ସିଟରୁ ତିନି ଥର ନିର୍ବାଚନ ଲଢି ଜିତିଛନ୍ତି। ସେ ବିଜୁ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକଙ୍କ ସରକାରରେ କ୍ୟାବିନେଟରେ ଅନେକ ଗୁରୁତ୍ଵପୂର୍ଣ୍ଣ ପଦ ସମ୍ଭାଳିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ