Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂଗ୍ରେସରେ ମିଶିଲେ ହକି ତାରକା ପ୍ରବୋଧ ତିର୍କୀ, ରାଜନୀତିରେ ଦ୍ଵିତୀୟ ଇନିଂସ ଆରମ୍ଭ

ଭୁବନେଶ୍ଵର: ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି ହକି ତାରକା ପ୍ରବୋଧ ତିର୍କୀ। ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ କଂଗ୍ରେସ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ସାମିଲ୍ ହୋଇଛନ୍ତି। ଏହି ସମୟରେ ପ୍ରଭାରୀ ଚେଲ୍ଲା କୁମାର, ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ବିଜୟ ପଟ୍ଟନାୟକଙ୍କ ସହ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।

କଂଗ୍ରେସରେ ମିଶିବା ପରେ ନିଜ ପ୍ରତିକ୍ରିୟାରେ ପ୍ରବୋଧ ତିର୍କୀ କହିଛନ୍ତି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ମୋତେ ଅନୁପ୍ରାଣିତ କରିଛି । ଲୋକ ସେବା ପାଇଁ କଂଗ୍ରେସକୁ ଆସିଛି । ସମସ୍ତେ ମିଶିଲେ କଂଗ୍ରେସ ଆଗକୁ ଯିବ ବୋଲି ସେ କହିଛନ୍ତି ।

ଉଲ୍ଲେଖ ଥାଉ କି, ବାଲିଶଙ୍କରା ବ୍ଲକର ହକି ଗାଁ ଲୁଲୁକିଡିହିରେ ଅତି ଗରିବ ପରିବାରରେ ୧୯୮୪ ଅକ୍ଟୋବର ୬ରେ ଜନ୍ମ ନେଇଥିଲେ ପ୍ରବୋଧ। ଅଭାବ ଭିତରେ ବି ବଡ଼ ଭାଇ ଇଗ୍ନେଶ ସହ ପ୍ରବୋଧ ହକି ଖେଳିବାକୁ ମନ ବଳାଇଥିଲେ। ବାଉଁଶ ବାଡ଼ି ଓ ଗାଁ ଦାଣ୍ଡରୁ ଯାତ୍ରା ଆରମ୍ଭ କରିଥିବା ଇଗ୍ନେଶ ଓ ପ୍ରବୋଧ ପରବର୍ତ୍ତୀ ସମୟରେ ଭାରତୀୟ ହକି ଦଳରେ ପ୍ରମୁଖ ସ୍ଥାନ ଦଖଲ କରି ନେଇଥିଲେ। ପ୍ରବୋଧ ତିର୍କୀ ଟିମ୍ ଇଣ୍ଡିଆର ଅଧିନାୟକ ରହିଥିଲେ ।

ତାଙ୍କ ନେତୃତ୍ଵରେ ଭାରତୀୟ ହକି ଦଲ ୨୦୦୭ ମସିହାରେ ଚେନ୍ନାଇ ଠାରେ ଅନୁଷ୍ଠିତ ଏସିଆ କପ୍ ଟ୍ରଫି ଜିତିଥିଲା । ପ୍ରବୋଧ ନିଜ କ୍ୟାରିୟରରେ ୧୬୧ଟି ଅନ୍ତର୍ଜାତୀୟ ଖେଳ ଖେଳିଛନ୍ତି । ସେ ୨୦୦୧ରେ ଏକଲବ୍ୟ ପୁରସ୍କାର ପାଇଥିବା ବେଳେ ୨୦୦୯ ମସିହାରେ ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ସମ୍ମାନ ପାଇଥିଲେ । ଏୟାର ଇଣ୍ଡିଆରେ ଆହୁରି ୧୮ ବର୍ଷ ଚାକିରି ଥିବା ସତ୍ତ୍ବେ ସେ ଗତ ଜୁଲାଇ ୩୧ରେ ଅବସର ନେଇଥିଲେ। ତଲସରାକୁ କଂଗ୍ରେସର ଗଡ କୁହାଯାଏ । କିନ୍ତୁ ଗତ ନିର୍ବାଚନରେ ବିଜେପି ହାତେଇ ନେଇଥିଲା ଏହି ଆସନ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ