ପାରଳାଖେମୁଣ୍ଡି:୭/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଶୈକ୍ଷିକ ଶୃଙ୍ଖଳା ପାଇଁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହୁ ବୋଲି ଓଡ଼ିଶା ଡିଗ୍ରୀ କଲେଜ ଆସୋସିଏସନ (ଓ.ଡି.ସି.ଏ) ଦାବି କରିଛି l ୨୦୧୬ ମସିହାଠାରୁ ରାଜ୍ୟ ରେ ଥିବା ସରକାରୀ କଲେଜ, ବେସରକାରୀ ସାହାର୍ଯ୍ୟ ପ୍ରାପ୍ତ କଲେଜ ଏବଂ ବିଶ୍ଵବିଦ୍ୟାଳୟ ମାନଙ୍କରେ ସେମିଷ୍ଟାର ପାଠ୍ୟକ୍ରମ ଆରମ୍ଭ କରାଯାଇ ଥିଲା l ଏଥିପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ବର୍ଷ କୁ ଦୁଇଥର ଇଣ୍ଟରନାଲ ପରୀକ୍ଷା, ଦୁଇଥର ପ୍ରାକ୍ଟିକାଲ ପରୀକ୍ଷା ଏବଂ ଦୁଇଥର ବିଶ୍ୱବିଦ୍ୟାଳୟ ପରୀକ୍ଷା ଦେବାକୁ ପଡୁଛି l ଛାତ୍ର ସଂସଦ ନିର୍ବାଚନ କରାଗଲେ ଛାତ୍ର ଛାତ୍ରୀ ମାନଙ୍କ ପାଠ୍ୟକ୍ରମ ଠିକ ସମୟରେ ଶେଷ ହୋଇପାରିବ ନାହିଁ l କୋମଳମତି ଛାତ୍ର ଛାତ୍ରୀ ମାନେ ବିଶୃଙ୍ଖଳିତ ହେବେ l ଶିକ୍ଷାନୁଷ୍ଠାନ ମାନଙ୍କରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ l ଛାତ୍ର ଛାତ୍ରୀ ମାନଙ୍କ ନାମରେ ମାମଲା ରୁଜୁ ହେବ l ଅଧ୍ୟାପକ ଏବଂ କର୍ମଚାରୀ ମାନେ ନିଜକୁ ଅସୁରକ୍ଷିତ ମନେକରିବେ l ରାଜନୈତିକ ହସ୍ତକ୍ଷେପ ଜନିତ ବିଶୃଙ୍ଖଳା ସୃଷ୍ଟି ହେବ l ଶିକ୍ଷାନୁଷ୍ଠାନ ଗୁଡିକ ପ୍ରଦୂଷିତ ହୋଇଯିବ ଏବଂ ଶୈକ୍ଷିକ ବାତାବରଣ ନଷ୍ଟ ହେବ l ଶିକ୍ଷା ବେପାରୀମାନେ ଶିକ୍ଷାନୁଷ୍ଠାନମାନଙ୍କୁ ବିଶୃଙ୍ଖଳିତ କରିବାକୁ ପ୍ରୟାସ କରିବେ l କଲେଜ ର ଶ୍ରେଣୀ ଗୃହ ଏବଂ କାନ୍ଥବାଡ଼ ନଷ୍ଟ ହେବ l ନିର୍ବାଚନ ସମୟରେ କ୍ଲାସ ନେବା ସମ୍ଭବ ହେବ ନାହିଁ l ଫଳରେ ଛାତ୍ର ଛାତ୍ରୀ ମାନେ ବିଶେଷ ପ୍ରଭାବିତ ହେବେ l ଏହି ସବୁ ସମସ୍ୟା କୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର 2018 ମସିହାରେ ଛାତ୍ରସଂସଦ ନିର୍ବାଚନ ଉପରେ ରୋକ ଲଗାଇଥିଲେ l ଏହା ଏକ ଉଚିତ ପଦକ୍ଷେପ ଥିଲା l ଏହି ନିର୍ବାଚନ କୁ ସ୍ଥାୟୀ ଭାବରେ ବନ୍ଦ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଓଡିଶା ଡିଗ୍ରୀ କଲେଜ ଆସୋସିଏସନର ନେତୃବୃନ୍ଦ, ଆବାହକ ପ୍ରାଧ୍ୟାପକ ରବୀନ୍ଦ୍ର କୁମାର ପଣ୍ଡା, ଜଗନମୋହନ ସାହୁ, ଡ଼. ଅଶୋକ କୁମାର ରାଉଳ, ଗଜରାଜ ପାତ୍ର ଓ ମାର୍କଣ୍ଡେଶ୍ୱର ମହାପାତ୍ର ଏକ ପ୍ରେସ ବିବୃତି ରେ ଦାବୀ କରିଛନ୍ତି l