ସୌମ୍ୟ ଜଣେ ବ୍ଲାକମେଲର ଓ କେତେଥର ଦଳ ବଦଳାଇଛନ୍ତି ସମସ୍ତେ ଜାଣନ୍ତି: ଅତନୁ


ଭୁବନେଶ୍ଵର: ବରିଷ୍ଠ ବିଜେଡି ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ନିଜର ଖବରକାଗଜ ମାଧ୍ୟମରେ ରାଜ୍ୟ ସରକାରଙ୍କ ଓ ଦଳର ଆଭ୍ୟନ୍ତରୀଣ କଥା ଲେଖି ରାଜ୍ୟ ରାଜନୀତିରେ ଭ୍ରୂକୁଞ୍ଚନ ସୃଷ୍ଟି କରିଛନ୍ତି। ତାଙ୍କର ଏମିତି ଆଭିମୁଖ୍ୟକୁ ଟାର୍ଗେଟ୍ କରିଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ। ଅରୁଣ ସାହୁଙ୍କ ପରେ ମନ୍ତ୍ରୀ ଅତନୁ ସୌମ୍ୟଙ୍କ ସମାଲୋଚନା କରିଛନ୍ତି। ସୌମ୍ୟଙ୍କ ବୟାନକୁ ସେ ଦଳ ବିରୋଧୀ କାର୍ଯ୍ୟ ବୋଲି କହିଛନ୍ତି।

ସେ କହିଛନ୍ତି, ଦଳକୁ ଓ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଟାର୍ଗେଟ୍ କରି ବାରମ୍ବାର ଲେଖୁଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ। ସାଧାରଣ ଜନତା ଏହାକୁ ଗ୍ରହଣ କରିବେ ନାହିଁ। ଦଳରେ ରହି ଦଳକୁ ବ୍ଲାକମେଲିଂ କରିବାକୁ ପ୍ରୟାସ କରୁଛନ୍ତି ସୌମ୍ୟ। ବ୍ଲାକମେଲିଂକୁ ଆୟୁଧ କରି ଲକ୍ଷ୍ୟରେ ପହଞ୍ଚି ପାରିବେ ନାହିଁ ସୌମ୍ୟ। ସୌମ୍ୟ କଣ ଓ କେତେଥର ଦଳ ବଦଳାଇଛନ୍ତି ଏହା ସମସ୍ତେ ଜାଣିଛନ୍ତି। ଅତନୁ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସାରା ରାଜ୍ୟ ଗସ୍ତ କଲା। ଲୋକଙ୍କ ବିଭିନ୍ନ ଅଭିଯୋଗର ସମାଧାନ ହେଲା, ଏଥିରେ ଅସୁବିଧା କଣ ବୋଲି ସେ ପ୍ରଶ୍ନ କରିଛନ୍ତି।

ନିକଟରେ ସୌମ୍ୟରଞ୍ଜନ ପଟ୍ଟନାୟକ ଦୈନିକ ଖବର କାଗଜର ସମ୍ବାଦର ମୁଖବନ୍ଧରେ ଆମଘରର ହାଲଚାଲରେ ଆଲେଖ୍ୟ ଜରିଆରେ ୫-ଟି ସଚିବଙ୍କ ଓଡ଼ିଶା ସାରା ଗସ୍ତ, ପାଟି ବଡ଼ ନା ମାଟି ବଡ଼ ଆଦିକୁ ନେଇ ପରୋକ୍ଷରେ ଦଳକୁ ସମାଲୋଚନା କରିଥିଲେ। ଏହାକୁ ନେଇ ରାଜନୀତି ଜୋର ଧରିଛି। ନିଜର ସ୍ଵାର୍ଥ ପୂରଣ ନ ହେବାରୁ ସୌମ୍ୟ ଏମିତି କାମ କରୁଥିବା ଦଳର ଅନେକ ବରିଷ୍ଠ ନେତା କହିଛନ୍ତି। ସୌମ୍ୟ ଜଣେ ସୁବିଧାବାଦୀ ନେତା ବୋଲି ବିଜେଡିର ନେତା ଅନୁଭବ ପଟ୍ଟନାୟକ କହି ସାରିଛନ୍ତି।