ଶେଷ ଯାଏ ଲଢି ହାରିଲା ପାକିସ୍ତାନ, ଫାଇନାଲରେ ଭାରତ ସହ ଶ୍ରୀଲଙ୍କାର ମୁକାବିଲା


କଲୋମ୍ବୋ: ଏଠାକାର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଏସିଆ କପ୍ ସୁପର-୪ର ଏକ ଗୁରୁ୍ତ୍ଵପୂର୍ଣ୍ଣ ମ୍ୟାଚରେ ଘରୋଇ ଶ୍ରୀଲଙ୍କା ପାକିସ୍ତାନକୁ ୨ ଓ୍ଵିକେଟରେ ହରାଇଛି। ଏହି ରୋମାଞ୍ଚକର ବିଜୟ ସହ ଶ୍ରୀଲଙ୍କା ୧୧ମ ଥର ଫାଇନାଲରେ ପ୍ରବେଶ କରିଛି। ଏବେ ୧୭ ତାରିଖରେ ଟାଇଟଲ୍ ମୁକାବିଲାରେ ମୁହାଁମୁହିଁ ହେବେ ୧୦ମ ଥର ଫାଇନାଲରେ ପ୍ରବେଶ କରିଥିବା ଭାରତ ଓ ଶ୍ରୀଲଙ୍କା। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ମହମ୍ମଦ ରିଜଓ୍ଵାନଙ୍କ ୮୬ ରନ ସହ ଶଫିକଙ୍କ ୫୨ ରନ ଓ ଇଫତିକାର ଅହମ୍ମଦଙ୍କ ୪୭ ରନ ବଳରେ ୪୨ ଓଭରରେ ୭ ଓ୍ଵିକେଟ୍ ବିନିମୟରେ ୨୫୨ ରନ କରିଥିଲା। ଜବାବରେ ଶ୍ରୀଲଙ୍କା ଡକ୍ ଓ୍ଵର୍ଥ ଲୁଇସ୍ ନିୟମରେ ୪୨ ଓଭରରେ ୮ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଶ୍ରୀଲଙ୍କା ପାଇଁ କୁଶଲ ମେଣ୍ଡିସ ସର୍ବାଧିକ ୯୧ ରନର ଇନିଂସ ଖେଳିଥିଲେ। ମଧ୍ୟକ୍ରମ ବ୍ୟାଟର ସଦିରା ସମରବିକ୍ରମା(୪୮) ଓ ଚରିଥ ଅସଲଙ୍କା ଅପରାଜିତ ୪୯ ରନ ଖେଳି ଦଳ ବିଜୟରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି। ଶେଷ ଓଭରରେ ଜିତିବିା ପାଇଁ ଶ୍ରୀଲଙ୍କାକୁ ୮ ରନ ଦରକାର ଥିଲା। ତେବେ ପ୍ରଥମ ୪ ବଲରେ ମାତ୍ର ୨ ରନ ହେବାରୁ ପାକିସ୍ତାନର ବିଜୟ ଆଶା ବଢି ଯାଇଥିଲା। କିନ୍ତୁ ଦୁଇଟି ବଲରେ ଚୌକା ଓ ୨ ରନ ନେଇ ଶ୍ରୀଲଙ୍କା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚକୁ ଜିତି ନେଇଥିଲା।

୨୫୩ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଶ୍ରୀଲଙ୍କାର ଆରମ୍ଭ ଭଲ ଥିଲା। କୁଶଲ ପେରେରା ଦ୍ରୁତ ୧୭ ରନ କରିଥିଲେ ହେଁ ରନଆଉଟ୍ ହୋଇଥିଲେ. ଏହା ପରେ ନିଶଙ୍କା ଓ ମେଣ୍ଡିସଙ୍କ ମଧ୍ୟରେ ଦ୍ଵିତୀୟ ଓ୍ଵିକେଟରେ ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଥିଲା। ନିଶଙ୍କା ୪୪ ବଲରୁ ୨୯ ରନ କରି ପାଭିଲିୟନ ଫେରିଥିଲେ। କୁଶଲ ମେଣ୍ଡିସ ଓ ସଦିରା ଦମଦାର ବ୍ୟାଟିଂ କରି ତୃତୀୟ ଓ୍ଵିକେଟରେ ଶତକୀୟ ଭାଗିଦାରୀ କରିଥିଲେ। ଏକଦା ଗୋଟିଏ ସମୟ ଥିଲା ଶ୍ରୀଲଙ୍କା ସହଜରେ ମ୍ୟାଚ୍ ଜିତିଯିବ।

ମାତ୍ର ସଦିରା ୪୮ ରନ ଓ ମେଣ୍ଡିସ ୯୧ ରନ କରି ଆଉଟ୍ ହେବା ପରେ ପାକିସ୍ତାନ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା। ଅଧିନାୟକ ଶନାକା ୨ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଧନଞ୍ଜୟ ଓ ଦୁନିଥ ଲଗାତାର ୨ଟି ବଲରେ ପାଭିଲିୟନ ଫେରିଥିଲେ। ଫଳରେ ମ୍ୟାଚ୍ ଶେଷ ଓଭର ପର‌୍ୟ୍ୟନ୍ତ ଯାଇଥିଲା। ଶେଷ ଓଭରରେ ପ୍ରମୋଦ ରନ ଆଉଟ୍ ହୋଇଥିଲେ। କିନ୍ତୁ ଚରିଥ ଅସଲଙ୍କା ଅପରାଜିତ ୪୯ ରନ ଖେଳି ଦଳକୁ ବିଜୟୀ କରାଇଥିଲେ। ଶେଷ ଓଭରରେ ଜିତିବିା ପାଇଁ ଶ୍ରୀଲଙ୍କାକୁ ୮ ରନ ଦରକାର ଥିଲା। ତେବେ ପ୍ରଥମ ୪ ବଲରେ ମାତ୍ର ୨ ରନ ହେବାରୁ ପାକିସ୍ତାନର ବିଜୟ ଆଶା ବଢି ଯାଇଥିଲା। କିନ୍ତୁ ଦୁଇଟି ବଲରେ ଚୌକା ଓ ୨ ରନ ନେଇ ଶ୍ରୀଲଙ୍କା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚକୁ ଜିତି ନେଇଥିଲା।

ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ପାକିସ୍ତାନ ୪୨ ଓଭରରେ ୭ ଓ୍ଵିକେଟ୍ ହରାଇ ୨୫୨ ରନ କରିଥିଲା। ବର୍ଷା କାରଣରୁ ପ୍ରଥମେ ମ୍ୟାଚ୍ ୪୫-୪୫ ଓଭର କରାଯାଇଥିଲା। ପୁଣି ବର୍ଷା ହେବାରୁ ମ୍ୟାଚ୍ ୪୨-୪୨କୁ ହ୍ରାସ ହୋଇଥିଲା। ପାକିସ୍ତାନ ମହମ୍ମଦ ରିଜଓ୍ଵାନଙ୍କ ୮୬ ରନ ସହ ଶଫିକଙ୍କ ୫୨ ରନ ଓ ଇଫତିକାର ଅହମ୍ମଦଙ୍କ ୪୭ ରନ ବଳରେ ୭ ଓ୍ଵିକେଟ୍ ହରାଇ ୨୫୨ ରନ କରିଥିଲା। ଶ୍ରୀଲଙ୍କା ପକ୍ଷରୁ ମଥିସା ପଥିରାନା ୩ ଓ୍ଵିକେଟ୍ ନେଇଥିବା ବେଳେ ପ୍ରମୋଦ ମଦୁସନ ୨ଟି ଓ୍ଵିକେଟ୍ ନେଇଥିଲେ।