Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାମାଙ୍କନ ଭରିଲେ ପ୍ରମିଳା ମଲ୍ଲିକ, ନିଦ୍ଵର୍ନ୍ଦ୍ଵରେ ଜିତିବେ ନିର୍ବାଚନ, ହେବେ ପ୍ରଥମ ମହିଳା ବାଚସ୍ପତି

ଭୁବନେଶ୍ୱର: ବାଚସ୍ପତି ପଦ ପାଇଁ ଆଜି ବିଜେଡି ତଫରୁ ନାମାଙ୍କନ ପତ୍ର ଭରିଛନ୍ତି ପ୍ରମିଳା ମଲ୍ଲିକ। ଆସନ୍ତାକାଲି ସକାଳ ୯ଟା ୩୦ରେ ବାଚସ୍ପତି ନିର୍ବାଚନ ହେବ। ଆସନ୍ତାକାଲି ବିଧାନସଭା ଅଧିବେଶନ ମଧ୍ୟ ଆରମ୍ଭ ହେବାକୁ ଯାଉଛି। ବିଜେଡି ପାଖରେ ସଂଖ୍ୟାବଳ ଢେର ଅଧିକ ଥିବାରୁ ପ୍ରମିଳାଙ୍କ ବାଚସ୍ପତି ହେବା ନିଶ୍ଚିତ। ଏହା ସହିତ ସେ ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ ମହିଳା ବାଚସ୍ପତି ହେବାକୁ ଯାଉଛନ୍ତି। ଗତକାଲି ବିଜେଡି ପ୍ରମିଳାଙ୍କୁ ବାଚସ୍ପତି ପ୍ରାର୍ଥୀ ଘୋଷଣା କରିଥିଲା।

ଆଜି ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେଡିର ଅନେକ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଏହା ପୂର୍ବରୁ ପ୍ରମିଳା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ନିଦ୍ଵର୍ନ୍ଦ୍ଵରେ ଜିତିବାକୁ ଯାଉଥିବା ପ୍ରମିଳା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜସ୍ଵ, ବିପର୍ଯ୍ୟୟ ପରିଚାଳନା ଓ ଅନ୍ୟାନ୍ୟ ବିଭାଗରେ ମନ୍ତ୍ରୀ ଥିଲେ। ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ରାଜସ୍ଵ ବିଭାଗର ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ପ୍ରମିଳା ବର୍ତ୍ତମାନ ଯାଜପୁର ଜିଲ୍ଲାର ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଅଛନ୍ତି। ସେ ଏହି ଆସନରୁ ଲଗାତାର ୬ ଥର ନିର୍ବାଚିତ ହୋଇ ଆସିଛନ୍ତି। ୧୯୯୦ରେ ଜନତା ଦଳ ପକ୍ଷରୁ ପ୍ରଥମ ଥର ନିର୍ବାଚିତ ହୋଇଥିବା ବେଳେ ୨୦୦୦ ମସିହା ପରଠୁ ବିଜେଡି ପକ୍ଷରୁ ଲଗାତାର ଏହି ଆସନରୁ ନିର୍ବାଚନ ଜିତି ଆସୁଛନ୍ତି। ସେ ନବୀନଙ୍କ କ୍ୟାବିନେଟରେ ଅନେକ ବିଭାଗ ସମ୍ଭାଳିଛନ୍ତି।

ସୂଚନାଯୋଗ୍ୟ, ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରଠୁ ବାଚସ୍ପତି ପଦ ଖାଲି ପଡ଼ିଛି। ପରବର୍ତ୍ତ ବାଚସ୍ପତି କିଏ ହେବ ? ସେନେଇ ଚର୍ଚ୍ଚା ଆଲୋଚନା ଚାଲିଥିଲା । ଜଣେ ମହିଳାଙ୍କ ରାଜ୍ୟର ପରବର୍ତ୍ତୀ ବାଚସ୍ପତି ହେବା ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। ଚଳିତ ବର୍ଷ ମେ ୧୨ ତାରିଖରେ ବିକ୍ରମ ଆରୁଖ ବ୍ୟକ୍ତିଗତ କାରଣ ଦର୍ଶାଇ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ରାଜ୍ୟ ସରକାର ତାଙ୍କୁ ଅର୍ଥ ମନ୍ତ୍ରୀ ଦାୟିତ୍ଵ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ