Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ଵ ବିଭାଗର ଅତିରିକ୍ତ ଦାୟିତ୍ଵ, ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ପ୍ରମିଳା

ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ଵ ବିଭାଗର ଅତିରିକ୍ତ ଦାୟିତ୍ଵ ମିଳିଛି। ପ୍ରମିଳା ମଲ୍ଲିକ ବାଚସ୍ପତି ପ୍ରାର୍ଥୀ ହେବା ପରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ ସୁଦାମ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ଏହା ପୂର୍ବରୁ ଆଜି ପ୍ରମିଳା ମଲ୍ଲିକ ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଗତକାଲି ବିଜେଡି ତାଙ୍କୁ ବାଚସ୍ପତି ପ୍ରାର୍ଥୀ ଘୋଷଣା କରିଥିଲା। ବିକ୍ରମ କେଶରୀ ବାଚସ୍ପତି ପଦରୁ ଇସ୍ତଫା ଦେବା ପରଠୁ ଏହି ପଦ ଖାଲି ପଡ଼ିଛି।

ସୂଚନାଯୋଗ୍ୟ, ଗତ ମେ ମାସରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସମୟରେ ସମୀର ଦାଶଙ୍କୁ ଗଣଶିକ୍ଷା ମନ୍ତ୍ରୀ ପଦରୁ ହଟାଯାଇଥିଲା। ଏହି ସମୟରେ ବାଙ୍ଗିରିପୋଷି ବିଧାୟକ ସୁଦାମଙ୍କୁ ଗଣଶିକ୍ଷା ମନ୍ତ୍ରୀ ଦାୟିତ୍ଵ ଦିଆଯାଇଥିଲା। ପ୍ରମିଳାଙ୍କ ଇସ୍ତଫା ପରେ ଏବେ ସୁଦାମଙ୍କୁ ମାର୍ଣ୍ଡିଙ୍କୁ ରାଜସ୍ଵ ବିଭାଗର ଅତିରିକ୍ତ ଦାୟିତ୍ଵ ଦିଆଯାଇଛି।

ପ୍ରମିଳାଙ୍କ ଆଜି ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେଡିର ଅନେକ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଏହି ସମୟରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ତାଙ୍କର ସମର୍ଥକ ଥିଲେ। ଏହା ପୂର୍ବରୁ ପ୍ରମିଳା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ନିଦ୍ଵର୍ନ୍ଦ୍ଵରେ ଜିତିବାକୁ ଯାଉଥିବା ପ୍ରମିଳା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜସ୍ଵ, ବିପର୍ଯ୍ୟୟ ପରିଚାଳନା ଓ ଅନ୍ୟାନ୍ୟ ବିଭାଗରେ ମନ୍ତ୍ରୀ ଥିଲେ। ପ୍ରମିଳା ବର୍ତ୍ତମାନ ଯାଜପୁର ଜିଲ୍ଲାର ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଅଛନ୍ତି। ସେ ଏହି ଆସନରୁ ଲଗାତାର ୬ ଥର ନିର୍ବାଚିତ ହୋଇ ଆସିଛନ୍ତି। ୧୯୯୦ରେ ଜନତା ଦଳ ପକ୍ଷରୁ ପ୍ରଥମ ଥର ନିର୍ବାଚିତ ହୋଇଥିବା ବେଳେ ୨୦୦୦ ମସିହା ପରଠୁ ବିଜେଡି ପକ୍ଷରୁ ଲଗାତାର ଏହି ଆସନରୁ ନିର୍ବାଚନ ଜିତି ଆସୁଛନ୍ତି। ସେ ନବୀନଙ୍କ କ୍ୟାବିନେଟରେ ଅନେକ ବିଭାଗ ସମ୍ଭାଳିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ