ନୂଆଦିଲ୍ଲୀ: ଐତିହାସିକ ମହିଳା ସଂରକ୍ଷଣ ବିଧେୟକ ସଂସଦର ଉଭୟ ଗୃହରେ ଗୃହୀତ ହୋଇ ସାରିଛି। ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଏହା ଆଇନରେ ପରିଣତ ହେବ। ଏହା ସ୍ଵାଧୀନ ଭାରତ ଇତିହାସରେ ଏକ ବଡ଼ ପଦକ୍ଷେପ। ମହିଳା ସଂରକ୍ଷଣ ବିଲକୁ କେମିତି ତୃଣମୂଳସ୍ତରରେ ଲୋକଙ୍କ ନିକଟରେ ପହଞ୍ଚାଯିବ ସେ ନେଇ ବିଜେପି ଅଣ୍ଟା ଭିଡ଼ିଛି। ଏହି କ୍ରମରେ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହିଳା ସଂରକ୍ଷଣ ବିଲକୁ ଗାଁ ଗାଁରେ ପ୍ରଚାର କରାଯିବ ବୋଲି କହିଛନ୍ତି। ଭୁବନେଶ୍ଵରରେ ଶନିବାର ଏହାର ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
ସେ କହିଛନ୍ତି ଓଡ଼ିଶାର ୫୦ ହଜାର ଗାଁରେ ଛୋଟ ସଭା କରାଯାଇ ଲୋକଙ୍କୁ ଅବଗତ କରାଯିବ। ଲୋକସଭାରେ ବର୍ତ୍ତମାନ ୮୧ ଜଣ ମହିଳା ସାଂସଦ ଅଛନ୍ତି। ଏହି ଆଇନ ଲାଗୁ ହେଲେ ସଂଖ୍ୟା ୮୨କୁ ବଢିବ। ଓଡ଼ିଶାରେ ୧୮ ଜଣ ବିଧାୟିକା ଅଛନ୍ତି ଏବଂ ଏହି ସଂଖ୍ୟା ୫୦କୁ ବୃଦ୍ଧି ପାଇବ। ଏହା ଜରିଆରେ ଲୋକଙ୍କୁ ଏହି ବିଧେୟକକୁ ନେଇ ସଚେତନ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ଗୁରୁବାର ସଂସଦର ଉଚ୍ଚସଦନ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ଗୃହୀତ ହୋଇଥିଲା। ଶାସକ ଦଳଠୁ ନେଇ ସମସ୍ତ ବିରୋଧୀ ସଦସ୍ୟ ଏହି ବିଧେୟକକୁ ସମର୍ଥନ କରିଛନ୍ତି। କେବଳ ଏଆଇଏମଆଇଏମ ପାର୍ଟି ବିଧେୟକକୁ ବିରୋଧ କରିଛି। ସେହିପରି ଲୋକସଭାରେ ମଧ୍ୟ ପୂର୍ଣ୍ଣ ସମର୍ଥନ ସହ ବିଧେୟକ ଗୃହୀତ ହୋଇଥିଲା। ବିଧେୟକକୁ ନେଇ ରାଜନୀତି ବୟାନବାଜି ଚାଲିଥିଲେ ହେଁ ଉଭୟ ଶାସକ ବିଜେପି ଓ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସମର୍ଥନ କରିଛନ୍ତି।