ସମ୍ବଲପୁର-୨୫/୦୯ ( ରମାକାନ୍ତ ବିଶ୍ବାଳ) ଐତିହାସିକ ସମ୍ବଲପୁର ରୋଡ ଫାଟକ ଷ୍ଟେସନ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ମୃତି ସହ ଯୋଡି ହୋଇଥିଲା। ଏହି ଷ୍ଟେସନରେ ମହାତ୍ମା ଗାନ୍ଧୀ ୨ଥର ଓହ୍ଲାଇଥିଲେ। ତେଣୁ ଏହା ବେଶ ଗୁରୁତ୍ବ ବହନ କରୁଥିଲା । ବର୍ତ୍ତମାନ ଏହା ଇତିହାସ ପାଲଟିଛି । ସମ୍ବଲପୁର- ତାଳଚେର ରେଳ ଲାଇନ ଦୋହରୀକରଣ ବେଳେ ଷ୍ଟେସନକୁ ସଂପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି । ଏହାକୁ ଉଚ୍ଛେଦ ନକରିବାକୁ ବାରମ୍ଭାର ଦାବି ହୋଇଥିଲା । ମାତ୍ର ରେଳ ବିଭାଗ ଏଥିପ୍ରତି କର୍ଣ୍ଣପାତ ନକରି ଇତିହାସର ମୁକସାକ୍ଷୀ ପାଲଟିଥିବା ଫାଟକ ଷ୍ଟେସନକୁ ଭାଙ୍ଗି ଚୂରମାର କରି ଦେଇଥିଲା । ଅନେକ ନିଜର ଜୀବିକା ହରାଇଲେ । ସହରବାସୀଙ୍କ ପାଇଁ ଏହା ଯାତାୟତ ସୁବିଧା କରୁଥିବା ବେଳେ ବନ୍ଦ ହୋଇଯିବା ଯୋଗୁଁ ଲୋକେ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି । ବିଶେଷ ଭାବେ ଗଙ୍ଗାଧର ମେହେର ବିଶ୍ଵ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ହଇରାଣ ହେଉଛନ୍ତି ।
ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ବେଶ ସୁନାମ ରହିଛି । ଏଠାରେ ରାଜ୍ୟର
କୋଣ ଅନୁକୋଣରୁ ଛାତ୍ରଛାତ୍ରୀମାନେ ଆସି ଶିକ୍ଷା ଲାଭ କରିଥାନ୍ତି । ସମସ୍ତଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା ନଥିବା ବେଳେ ସେମାନେ ଫାଟକର ଅପରପାର୍ଶ୍ଵରେ ଥିବା ଚେମ୍ବରରେ ରହିଥାନ୍ତି । ସହରର ଗୋପାଲମାଲ, ଦାନୀପାଲି, ଶାନ୍ତିନଗର, ସିଦ୍ଧେଶ୍ବରବେର୍ଣ୍ଣା ଶକ୍ତିନଗର, ଭୀମଭୋଇ ନଗର ଓ ବୁଢାରଜା ଅଞ୍ଚଳରେ ଏକାଧିକ ଚେମ୍ବର ରହିଛି । ଏସବୁ ବିଶ୍ଵବିଦ୍ୟାଳୟ, ଫାଟକ ଷ୍ଟେସନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନିକଟ
ହୋଇଥିବାରୁ ଏଠାରେ ଛାତ୍ର ଛାତ୍ରୀ ମାନେ ରହିବାକୁ ବେଶ ପସନ୍ଦ କରିଥାନ୍ତି । ସେହିପରି ଫାଟକ ଷ୍ଟେସନ ଥିବାବେଳେ ଘରକୁ ଯିବାଆସିବା ପାଇଁ ଏହା ବେଶ ସହାୟକ ହେଉଥିଲା । ଏହା ଉଚ୍ଛେଦ ପରେ ଯାତା ୟତରେ ଅସୁବିଧା ହେଉଛି । ଅନ୍ଯପଟେ ଅଳ୍ପ ସମୟରେ ବିଶ୍ବବିଦ୍ୟାଳୟକୁ ଯିବା ପାଇଁ ସେମାନେ
ରେଳ ଲାଇନ ଅତିକ୍ରମ କରି ଥାନ୍ତି । ରେଳ ଷ୍ଟେସନ ଉଚ୍ଛେଦ ପରେ ମାଲଗାଡି ଘଣ୍ଟାଘଣ୍ଟା ଧରି ଛିଡା ହୋଇ ରହୁଛି । ଛାତ୍ରଛାତ୍ରୀ ମାନେ ଛିଡା ହୋଇଥିବା ରେଳ ଉପରେ ଚଢି ରେଳ ଲାଇନ ପାରି ହେଉଛନ୍ତି । ଶହଶହ ଛାତ୍ରଛାତ୍ରୀ ବିପଦଜ୍ଜନକ ଭାବେ ପ୍ରତିଦିନ ଏଭଳି ଭାବେ ପାରି ହେଉଥିବା ଦେଖିବାକୁ ମିଳୁଛି । ସେମାନେ ଅପରପାର୍ଶ୍ଵରେ ଥିବା ୪ଟି ରେଳ ଧାରଣାକୁ ପାର ହେଉଛନ୍ତି । ଏହା ସଂପୂର୍ଣ୍ଣ ଭାବେ ବିପଦଜ୍ଜନକ ହୋଇଥିବା ବେଳେ ଯେକୌଣସି ସମୟରେ ଟ୍ରେନ ସହ ଧକ୍କା ହେବାର ସମ୍ଭାବନା ରହିଛି । ତେବେ ଏଠାରେ ଏକ ଫୁଟ ଓଭର ବ୍ରିଜ ନିର୍ମାଣ କରିବାକୁ ବାରମ୍ବାର ଦାବି ହେଉଛି । ଆଗାମୀ ଦିନରେ ଏହାକୁ ନେଇ ଏକ ବଡ ଧରଣର ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ସାଧାରଣରେ ଆଲୋଚନା ହେଉଛି । ଏଭଳିସ୍ଥଳେ ରେଳ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ସଚେତନ ନାଗରିକ ମାନେ ଦାବି କରିଛନ୍ତି ।
ସମ୍ବଲପୁର ଫାଟକରେ ଫୁଟଓଭର ବ୍ରିଜ ନିର୍ମାଣ ଦାବି**ଛାତ୍ରଛାତ୍ରୀଙ୍କ ବିପଜନକ ରେଳ ଲାଇନ ଅତିକ୍ରମ
