Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଶବ୍ୟାପୀ କଂଗ୍ରେସର ସଂକଳ୍ପ ସତ୍ୟାଗ୍ରହ

ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦକୁ ବିରୋଧ କରି କଂଗ୍ରେସ ରବିବାର ଦେଶବ୍ୟାପୀ ଦିନିକିଆ ସଂକଳ୍ପ ସତ୍ୟାଗ୍ରହ କରିଛି। ସତ୍ୟାଗ୍ରହକୁ ନେଇ କଂଗ୍ରେସ କର୍ମୀମାନେ ଦେଶର ବିଭିନ୍ନ ପ୍ରାନ୍ତରେ ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି। ଦିଲ୍ଲୀରେ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳ ରାଜଘାଟ ବାହାରେ ସଂକଳ୍ପ ସତ୍ୟାଗ୍ରହ ହୋଇଛି। ଏଥିରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କେସି ବେଣୁଗୋପାଳ, ପି ଚିଦମ୍ବରମ୍‌, ସଲମାନ ଖୁର୍ସିଦ, ଜୟରାମ ରମେଶ, ମୁକୁଲ ୱାଜନିକ, ପୱନ କୁମାର ବଂଶଲ, ଶକ୍ତିସିଂହ ଗୋହଲି, ପ୍ରତିଭା ସିଂହ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ ସଭାରେ ପ୍ରିୟଙ୍କା ସମ୍ମିଳିତ କଂଗ୍ରେସ ନେତୃବୃନ୍ଦଙ୍କୁ ସମ୍ବୋଧନ କରି କେନ୍ଦ୍ରର ବିଜେପି ସରକାରକୁ ସମାଲୋଚନା କରିଥିଲେ। ପ୍ରିୟଙ୍କା କହିଥିଲେ ଯେ ଦେଶ ପାଇଁ ପ୍ରାଣବଳି ଦେଇଥିବା ଜଣେ ପ୍ରଧାନମନ୍ତ୍ରୀଙ୍କ ପୁଅ ଯିଏ କି ଦେଶକୁ ଏକଜୁଟ୍ କରିବା ଲାଗି ହଜାର ହଜାର କିଲୋମିଟର ପଦଯାତ୍ରା କରିଛନ୍ତି ସିଏ କେବେହେଲେ ଦେଶକୁ ଅପମାନିତ କରିପାରିବେ ନାହିଁ। ରାହୁଲ ବିଶ୍ବର ଦୁଇଟି ପ୍ରମୁଖ ବିଶ୍ବବିଦ୍ୟାଳୟ ହାଭାର୍ଡ ଓ କେମ୍ବ୍ରିଜ୍‌ରୁ ଡିଗ୍ରୀ ହାସଲ କରିଥିବାବେଳେ ତାଙ୍କୁ କିଛି ଲୋକ ‘ପପୁ’ କହି ସମାଲୋଚନା କରୁଛନ୍ତି।

ଭାରତ ଯୋଡୋ ଯାତ୍ରାରେ ରାହୁଲଙ୍କ ସହିତ ଲକ୍ଷଲକ୍ଷ ଲୋକ ପଦଯାତ୍ରା କରିବା ପରେ ଏହି ସମାଲୋଚନାକାରୀମାନେ ଭୟଭୀତ ହୋଇପଡିଛନ୍ତି । ରାହୁଲ ସଂସଦରେ ଯେଉଁ ପ୍ରଶ୍ନ ଉଠାଇଛନ୍ତି ତା’ର ଉତ୍ତର ଦେବାରେ ସରକାର ବିଫଳ ହୋଇଛନ୍ତି। ରାହୁଲଙ୍କ ସଭ୍ୟ ପଦ ରଦ୍ଦକୁ ବିରୋଧ କରି ଦେଶର ପ୍ରତ୍ୟେକ ରାଜ୍ୟ ଓ ଜିଲାସ୍ତରରେ ସତ୍ୟାଗ୍ରହ ହୋଇଛି। ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଉତ୍ତରପ୍ରଦେଶ, ଗୁଜରାଟ, ତେଲଙ୍ଗାନା, ହିମାଚଳ ପ୍ରଦେଶ, ବିହାର, ରାଜସ୍ଥାନ, ଜାମ୍ମୁ-କାଶ୍ମୀର, ପଞ୍ଜାବ, ହରିୟାଣା ଆଦି ସ୍ଥାନରେ କଂଗ୍ରେସ କର୍ମୀମାନେ ବଡ ଧରଣର ଆନ୍ଦୋଳନ କରିଛନ୍ତି।