ନୂଆଦିଲ୍ଲୀ: କରୋନାର ନୂଆ ଭାରିଏଂଟ ଜେଏନ ୧କୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ଆରମ୍ଭ ହୋଇଗଲାଣି । ଏହା ସରକାରଙ୍କ ଚିନ୍ତା ମଧ୍ୟ ବଢାଇଲାଣି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପୁଣି ଥରେ ରାଜ୍ୟଗୁଡିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜେଏନ ୧ ଭାରିଏଂଟର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପ୍ରତିଟି କରୋନା ପଜିଟିଭ କେସର ନମୂନା ଲ୍ୟାବରେ ଡିପୋଜିଟ୍ କରିବାକୁ କୁହାଯାଇଛି । ଏବେ ପ୍ରଶ୍ନ ଉଠୁଛି ଯେ, କଣ ଏହି ସମୟରେ ଲୋକଙ୍କୁ ଭ୍ୟାକ୍ସିନର ଚତୁର୍ଥ ଡୋଜ୍ ଲଗାଇବା ଉଚିତ୍ ? ଯଦି ଭ୍ୟାକ୍ସିନର ଚତୁର୍ଥ ଡୋଜ୍ ଲଗାଯିବ, ତେବେ କେବେ ଦିଆଯିବ ? ଏହି କ୍ରମରେ ଓମିକ୍ରନର ଏହି ଭାରିଏଂଟର ମୁକାବିଲା ପାଇଁ ନୂତନ ଭ୍ୟାକ୍ସିନ ଉପରେ କାମ କରିବା ଆରମ୍ଭ ହୋଇ ଯାଇଛି ।
ଭାରତ ସାର୍ସ-କୋଭ-୨ ଜିନୋମିକ୍ସ କନ୍ସୋର୍ଟିୟମର ପ୍ରମୁଖ ଏନକେ ଆରୋରା କହିଛନ୍ତି, ଜେଏନ ୧ ଭାରିଏଂଟ ଦେଶରେ ମିଳିବା ଚିନ୍ତାଜନକ । କେସ୍ ବଢିବା ଏବଂ ନୂତନ ଭାରିଏଂଟ ଚିହ୍ନଟ ହେବା ଓ ଏହାର ସଂକ୍ରମଣହାରକୁ ଦେଖିଲେ ଏହା କୁହାଯାଇ ପାରିବ ଯେ, ଚତୁର୍ଥ ବୁଷ୍ଟର ଡୋଜ୍ ଆବଶ୍ୟକ ନାହିଁ । କେବଳ ୬୦ ବର୍ଷରୁ ଅଧିକ ଆୟୁର ଲୋକେ ଯେଉଁମାନଙ୍କ ଶ୍ୱାସକ୍ରିୟାରେ ସମସ୍ୟା ଅଛି କିମ୍ବା ଅନ୍ୟ ଗୁରୁତର ରୋଗରେ ପୀଡିତ ସେମାନେ ତୃତୀୟ ଡୋଜ୍ ନେଇ ପାରିବେ । ତେଣୁ ବର୍ତମାନ ସାଧାରଣ ଲୋକଙ୍କୁ ଚତୁର୍ଥ ଡୋଜର କୌଣସି ଆବଶ୍ୟକତା ନାହିଁ । ଲୋକେ ଅଧିକ ଚିନ୍ତା ନ କରି ସାବଧାନ ରହିବା ଉଚିତ୍ ବୋଲି ଏନକେ ଆରୋରା ପରାମର୍ଶ ଦେଇଛନ୍ତି ।
ଆରୋରା କହିଛନ୍ତି ଏହି ନୂତନ ଭାରିଏଂଟର ଲକ୍ଷ୍ମଣ ହେଉଛି, ଜ୍ୱର ହେବା, ନାକରୁ ପାଣି ଝରିବା, ବେଳେ ବେଳେ ଶରୀର ପୀଡା ହେବା ଆଦି ସାମିଲ, ଯାହା ଗୋଟିଏ ସପ୍ତାହରେ ଠିକ୍ ହୋଇଯାଏ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସମସ୍ତ ରାଜ୍ୟକୁ ଟେଷ୍ଟିଂ ବଢାଇବାକୁ ନିର୍ଦ୍ଦେଶ ଦେଇଛି । କରୋନା ପଜିଟିଭ୍ ଆସିଲେ ନମୂନାକୁ ଅଧିକ ଟେଷ୍ଟିଂ କରିବାକୁ ଆଦେଶ ଦିଆଯାଇଛି ।