ସଂଶୋଧିତ ଜିଏସ୍ଟି ହ୍ରାସ ଦ୍ୱାରା ଦୈନନ୍ଦିନ ସାମଗ୍ରୀ ହେବ ଶସ୍ତା

ବିଶାଖାପାଟଣମ୍ରେ ‘ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର’ ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ କହିଲେ ଯେ, ଜିଏସ୍ଟି ହାରରେ ହ୍ରାସ ଦ୍ୱାରା ଦେଶବାସୀଙ୍କର ୨ ଲକ୍ଷ କୋଟି ଟଙ୍କା ସଞ୍ଚୟ ହେବ । ଏହା ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଏକ ବଡ଼ ପଦକ୍ଷେପ । ଲୋକଙ୍କ ହାତକୁ ଟଙ୍କା ଆସିବା ଦ୍ୱାରା ଅର୍ଥନୀତିରେ ଚାହିଦା ବଢ଼ିବ । ଏହା ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ । ସୀତାରମଣ ଆହୁରି କହିଲେ ଯେ, ଜିଏସ୍ଟିର ୧୨% ସ୍ଲାବ୍ରେ ସାମିଲ ୯୯% ସାମଗ୍ରୀ ଏବେ ୫% ଟିକସ ପରିସରକୁ ଆସିଯାଇଛି । ଏହାସହିତ ୨୮% ଟିକସ ସ୍ଲାବ୍ରେ ଥିବା ୯୦% ସାମଗ୍ରୀ ୧୮% ଟିକସ ପରିସରକୁ ଆସିଛି ।
ସେ କହିଲେ, ଏହି ପରିବର୍ତ୍ତନ ମଧ୍ୟବିତ୍ତଙ୍କୁ ବଡ଼ ଆକାରରେ ଫାଇଦା ଦେବ ଏବଂ ଦାରିଦ୍ର୍ୟ ଦୂରୀକରଣରେ ସହାୟକ ହେବ । ସୀତାରମଣ ଏହା ମଧ୍ୟ କହିଛନ୍ତି ଯେ, ଜିଏସ୍ଟି ହାର ସଂଶୋଧନ ଯୋଗୁ ମିଳିବାକୁ ଥିବା ଲାଭ ଦେଶର ଅନେକ ଶିଳ୍ପକୁ ଦିଆଯାଉଥିବା ପ୍ରୋତ୍ସାହନ ରାଶିଠାରୁ ୧୦ ଗୁଣା ଅଧିକ । ଅର୍ଥମନ୍ତ୍ରୀ ଆହୁରି କହିଲେ ଯେ, ଜିଏସ୍ଟି ଲାଗୁ ହେବା ପରଠାରୁ ୨୦୨୫ ପର୍ଯ୍ୟନ୍ତ ଏ ବାବଦ ରାଜସ୍ୱ ବଢ଼ି ୨୨.୦୮ ଲକ୍ଷ କୋଟି ଟଙ୍କା ହୋଇଛି । ଏହାବ୍ୟତୀତ ଜିଏସ୍ଟି ଯୋଗୁ ଟିକସଦାତାଙ୍କ ସଂଖ୍ୟା ବି ୬୫ ଲକ୍ଷରୁ ବଢ଼ି ୧.୫୧ କୋଟିରେ ପହଞ୍ଚିଛି । ଏହା ଦର୍ଶାଉଛି ଯେ, ଜିଏସ୍ଟି କେବଳ ରାଜସ୍ୱ ବଢ଼ାଇନାହିଁ ବରଂ ଟିକସଦାତାଙ୍କ ଆଧାରକୁ ବି ମଜଭୁତ କରିଛି ।
ଏବେ ଜିଏସ୍ଟି ୪ ବଦଳରେ ଦୁଇଥାକିଆ ହୋଇଛି । ୫% ଏବଂ ୧୮% ଜିଏସ୍ଟି ବ୍ୟବସ୍ଥା ସେପ୍ଟେମ୍ବର ୨୨ରୁ କାର୍ଯ୍ୟକାରୀ ହେବ । ଏହା ଦ୍ୱାରା ସାଧାରଣ ଭାବେ ବ୍ୟବହୃତ ସାମଗ୍ରୀ ଯେପରି ସାବୁନ, ସ୍ୟାମ୍ପୋ ସହ ଏସି, କାର ବି ଶସ୍ତା ହେବ । ଜିଏସ୍ଟି ପରିଷଦର ୫୬ତମ ବୈଠକରେ ଏ ନିଷ୍ପତ୍ତି ନିଆଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସେପ୍ଟେମ୍ବର ୩ରେ ଏହି ସୂଚନା ଦେଇଥିଲେ । ସୀତାରମଣ କହିଥିଲେ ଯେ, କ୍ଷୀର, ରୁଟି, ପରଟା, ଛେନା ସମେତ ଅନେକ ଖାଦ୍ୟ ସାମଗ୍ରୀ ଜିଏସ୍ଟିମୁକ୍ତ ହେବ । ସେହିଭଳି ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ଉପରେ ବି ଟିକସ ଲାଗିବ ନାହିଁ । ୩୩ ଜୀବନ ରକ୍ଷକ ଔଷଧ, ବିରଳ ରୋଗ ଏବଂ ଗମ୍ଭୀର ରୋଗ ପାଇଁ ଔଷଧଗୁଡ଼ିକ ବି ଟିକସମୁକ୍ତ ହେବ ।