ଭାରତର ଅଣଦେଖା ପରେ ‘ବୟକଟ୍’ର ଧମକ ଦେଲା ପାକିସ୍ତାନ

ଜ୍ଜାଜନକ ପରାଜୟ ପରେ ହତାଶ ହୋଇ ପଡ଼ିଥିବା ପାକିସ୍ତାନ କ୍ରିକେଟ ଟିମ ନୂଆ ଭେଳିକି ଦେଖାଇବା ଆରମ୍ଭ କରିଛି। ଭାରତ ବିପକ୍ଷ ମ୍ୟାଚ୍ରେ ହାରିବା ପରେ ମଧ୍ୟ ପାକିସ୍ତାନର ଖେଳାଳିମାନେ ହାତ ମିଳାଇବାକୁ ଦୌଡ଼ି ଆସିଥିଲେ। କିନ୍ତୁ ଭାରତୀ କୌଣସି ଖେଳାଳି ସେମାନଙ୍କ ସହ ହାତ ମିଳାଇ ନଥିଲେ କିମ୍ବା କଥା ହୋଇ ନଥିଲେ। ଏସିଆ କପ ଭଳି ବଡ଼ ମଞ୍ଚରେ ଏପରି ଅପମାନିତ ହୋଇଥିବା ପାକିସ୍ତାନ ଏବେ ବୟକଟର ଧମକ ଦେଇଛି।
ଯଦି ଆଇସିସି ମ୍ୟାଚ୍ ରେଫରୀ ଆଣ୍ଡୀ ପୟକ୍ରଫ୍ଟଙ୍କୁ ଏସିଆ କପ୍ରୁ ବହିଷ୍କାର କରା ନ ଯିବ, ତା’ହେଲେ ୟୁଏଇ ବିପକ୍ଷ ନିଜର ଶେଷ ଲିଗ ମ୍ୟାଚ୍କୁ ପାକିସ୍ତାନ ବୟକଟ କରିବ ବୋଲି ଧମକ ଦେଇଛି।
ରବିବାର ଦୁବାଇରେ ଅନୁଷ୍ଠିତ ମ୍ୟାଚ୍ର ଟସ୍ ବେଳେ ଭାରତର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ତାଙ୍କ ପାକିସ୍ତାନୀ ପ୍ରତିପକ୍ଷ ସଲମାନ ଅଲୀ ଆଘାଙ୍କ ସହ ହାତ ମିଳାଇ ନଥିଲେ। ଭାରତ ୭ ୱିକେଟରେ ଜିତିବା ପରେ ଖେଳାଳିମାନେ ପାକିସ୍ତାନ ଖେଳାଳିଙ୍କ ସହ ହାତ ନ ମିଳାଇ ସିଧା ଡ୍ରେସିଂ ରୁମକୁ ଚାଲି ଯାଇଥିଲେ। ପହଲଗାମ ନରସଂହାର ଓ ଅପରେସନ ସିନ୍ଦୂର ପରେ ଏହି ମ୍ୟାଚ୍ ଖେଳା ଯାଉଥିବା ବେଳେ ଭାରତୀୟ କ୍ରିକେଟ ଟିମ ପାକିସ୍ତାନକୁ ଅଣ ଦେଖା କରିଥିଲା।
ମ୍ୟାଚ୍ ପରେ ଭାରତୀୟ ଖେଳାଳି ହାତ ମିଳାଇ ନଥିବାରୁ ଏହା କ୍ରୀଡ଼ା ମନୋଭାବ ବିରୋଧୀ ବୋଲି ଅଭିଯୋଗ କରି ପାକିସ୍ତାନ କ୍ରିକେଟ ବୋର୍ଡ ପ୍ରଥମେ ମ୍ୟାଚ୍ ରେଫରୀ ଆଣ୍ଡୀ ପୟକ୍ରଫ୍ଟଙ୍କ ନିକଟରେ ଅଭିଯୋଗ କରିଥିଲା। ହେଲେ ମ୍ୟାଚ ରେଫରୀ ଆଣ୍ଡୀ ପୟକ୍ରଫ୍ଟ ପିସିବି କଥାରେ କାମ ନ କରିବାରୁ ଏବେ ତାଙ୍କୁ ବହିଷ୍କାର କରିବାକୁ ପାକିସ୍ତାନ ଦାବି କରିଛି।