Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଞ୍ଜାମ ବିଜେଡିରେ ତୀବ୍ର ହେଲାଣି ଗୋଷ୍ଠୀ କନ୍ଦଳ, ନିର୍ବାଚନରେ ବଢାଇବ ଶାସକ ଦଳର ଚିନ୍ତା !

ବ୍ରହ୍ମପୁର: କେନ୍ଦ୍ରରେ ଶାସନ କରିବାକୁ ହେଲେ ଉତ୍ତର ପ୍ରଦେଶରେ ଯେମିତି ନିର୍ବାଚନ ଜିତିବାକୁ ହୁଏ ଠିକ୍ ସେହିପରି ଓଡିଶା ରାଜନୀତିର ଗଞ୍ଜାମ ଜିଲ୍ଲାର ଗୁରୁତ୍ଵ ଅଧିକ ରହିଛି। ସର୍ବାଧିକ ୧୩ଟି ନିର୍ବାଚନ ମଣ୍ଡଳୀ ଏହି ଜିଲ୍ଲାରେ ରହିଛି। ତେଣୁ ସମସ୍ତଙ୍କ ଫୋକସରେ ରହିଥାଏ ରାଜ୍ୟର ସବୁଠୁ ଏହି ଜନବହୁଳ ଜିଲ୍ଲା। ସାନଖେମୁଣ୍ଡିକୁ ବାଦ୍ ଦେଲେ ବାକି ୧୨ଟି ନିର୍ବାଚନ ମଣ୍ଡଳୀ ଶାସକ ବିଜୁ ଜନତା ଦଳ(ବିଜେଡି) କବଜାରେ ରହିଛି। ଏହା ବିଜେଡିର ଅଭେଦ୍ୟ ଗଡ। ଜିଲ୍ଲାର ହିଞ୍ଜିଳି ଆସନରୁ ଲଗାତାର ପାଞ୍ଚ ଥର ନିର୍ବାଚନ ଜିତି ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିରୋଧୀ ଦୁର୍ବଳ ରହିବା ଏହି ଜିଲ୍ଲାରେ ପତିଆରା ବଢାଇବାକୁ ବିଜେଡିକୁ ଭଲ ସୁଯୋଗ ଦେଇ ଆସିଛି। ଆଗାମୀ ନିର୍ବାଚନକୁ ପାଖାପାଖି ବର୍ଷେ ସମୟ ବାକି ରହିଛି। ଏବେଠୁ ସମସ୍ତ ରାଜନୈତିକ ଦଳ ନିର୍ବାଚନୀ ବୈତରଣୀ ପାରି ହେବାକୁ ରଣନୀତି ପ୍ରସ୍ତୁତିରେ ଜୁଟି ଗଲେଣି। କଣ ଆଗାମୀ ନିର୍ବାଚନରେ ବିଜେଡି ଗଞ୍ଜାମ ଜିଲ୍ଲାରେ ପୂର୍ବର ସଫଳତା ଦୋହରାଇ ପାରିବ ଏ ପ୍ରଶ୍ନ ଜନତାଙ୍କ ମନରେ ଉଙ୍କି ମାରୁଛି। କାରଣ ଗଞ୍ଜାମର ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ବିଜେଡିରେ ଗୋଷ୍ଠୀ କନ୍ଦଳ ମୁଣ୍ଡ ଟେକିଲାଣି। ଆଉ ଏହାର ଫାଇଦା ନେବାକୁ ଚେଷ୍ଟା ଚଳାଇଛନ୍ତି ବିଜେପି ଏବଂ କଂଗ୍ରେସ।

ଗଞ୍ଜାମ ବିଜେଡି ପାଇଁ ବଡ ଚିନ୍ତାର କାରଣ ପାଲଟିଛି ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ। ଦଳର ନେତାମାନଙ୍କ ମଧ୍ୟରେ ଚାଲିଛି କାଦୁଅଫିଙ୍ଗା ରାଜନୀତି। ନିର୍ବାଚନକୁ ବର୍ଷେ ସମୟ ଥିଲେ ବି ଏବେଠୁ ଦାଣ୍ଡରେ ପଡି ହାଟରେ ଗଡିଲାଣି ଗଞ୍ଜାମ ବିଜେଡିର ଦଳୀୟ କନ୍ଦଳ। ବିଶେଷ କରି ଛତ୍ରପୁର, ଦିଗପହଣ୍ଡି ଏବଂ ଆସ୍କା ନିର୍ବାଚନ ମଣ୍ଡଳୀରେ କନ୍ଦଳ ତୀବ୍ରରୂପ ନେଇଛି। ଛତ୍ରପୁରରେ ବିଧାୟକ ସୁବାସ ବେହେରା ଏବଂ ପୂର୍ବତନ ଉପନଗରପାଳ ଲକ୍ଷ୍ମୀପାଢୀଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ପରସ୍ପର ମଧ୍ୟରେ ଖୋଲାଖୋଲି ମନ୍ତବ୍ୟ ଦେଉଛନ୍ତି, ଯାହା ବିଜେଡିର ଚିନ୍ତାକୁ ବଢାଇ ଦେଇଛି।

ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଗଡ ହେଉଛି ଦିଗପହଣ୍ଡି। ଏଠାରୁ ସେ ସାତ ସାତ ଥର ନିର୍ବାଚନ ଜିତି ଆସିଥିଲେ ବି ଅସୁସ୍ଥତା କାରଣରୁ ଏଥର ସେ ସକ୍ରିୟ ନାହାନ୍ତି। ତାଙ୍କ ପୁଅ ବିପ୍ଳବ ପାତ୍ର ବାପାଙ୍କ ରାଜନୈତିକ ବିରାସତକୁ ଆଗକୁ ନେବା ପାଇଁ ପ୍ରସ୍ତୁତ ଅଛନ୍ତି। ପଞ୍ଚାୟତ ନିର୍ବାଚନଠୁ ସ୍ଥାନୀୟ ଅଞ୍ଚଳରେ ବିଜେଡିର ମଙ୍ଗ ଧରିଥିବାରୁ ଆସନ୍ତା ନିର୍ବାଚନରେ ତାଙ୍କୁ ଟିକେଟ୍ ମିଳିବା ନେଇ ଆଶା ରଖିଛନ୍ତି ତାଙ୍କ ସମର୍ଥକ। ହେଲେ ତାଙ୍କ ପାଇଁ କଣ୍ଟା ସାଜିଛନ୍ତି ଦିଗପହଣ୍ଡିର ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ। ବିପିନ ଖୋଲାଖୋଲି କହିଛନ୍ତି ଦିଗପହଣ୍ଡିରେ ସେ ଏକା ହିଁ ବିକଳ୍ପ। ୩୫ ବର୍ଷ ଧରି ବିଧାୟକ ହେବା ପରେ କଣ ସେହି ସମାନ ପରିବାରକୁ ଟିକେଟ୍ ଦିଆଯିବ ବୋଲି ପ୍ରଶ୍ନ କରିଛନ୍ତି।

ସମାନ ଅବସ୍ଥା ଆସିକା ନିର୍ବାଚନ ମଣ୍ଡଳୀର। ଏଠାକାର ବିଧାୟକ ହେଉଛନ୍ତି ମଞ୍ଜୁଳା ସ୍ଵାଇଁ। ତାଙ୍କ ନାମରେ ପୁଅ ନଚିକେତା ସ୍ଵାଇଁ ଏକଛତ୍ରବାଦ ଚଳାଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବିଜେଡି ନେତା ଭବାନୀ ଶଙ୍କର ମଲ୍ଲିକଙ୍କ ଗୋଷ୍ଠୀ। ଏପରିକି ମଞ୍ଜୁଳାଙ୍କ ବିରୋଧରେ ମେଳି ଗଠନ କରି ମା ପୁଅ ହଟାଅ ଆସିକା ନିର୍ବାଚନ ମଣ୍ଡଳୀ ବଞ୍ଚାଅ ପୋଷ୍ଟର ମାରିବା ସହ ନାରା ଦେଉଛନ୍ତି। ସେପଟେ ଭବାନୀ ଶଙ୍କରଙ୍କୁ ଦଳ ବିରୋଧୀ କହି ସମାଲୋଚନା କରିଛନ୍ତି ବିଧାୟିକା ମଞ୍ଜୁଳା ସ୍ଵାଇଁ।

ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ଆସନ ମଧ୍ୟରୁ ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଦଳୀୟ ନେତାଙ୍କ ମଧ୍ୟରେ ମହାଁମୁହିଁ ସ୍ଥିତି ଉପୁଜିଛି। ଏକାଧିକ ପ୍ରାର୍ଥୀ ଟିକେଟ୍ ପାଇଁ ଆଶା ବାନ୍ଧି ବସିଛନ୍ତି। ବିଜେଡି ଶାସକ ଦଳ ହୋଇଥିବାରୁ ଏହି ଦଳରୁ ପ୍ରାର୍ଥୀ ହୋଇ ଲଢିବା ଅଧିକାଂଶ ନେତା ନିଜକୁ ସୁରକ୍ଷିତ ମଣୁଛନ୍ତି। ତେଣୁ ବର୍ତ୍ତମାନ ବିଧାୟକ ଥିବା ନେତାଙ୍କ ବିରୋଧରେ ଖୋଲାଖୋଲି ଆଗକୁ ଆସୁଛନ୍ତି ତାଙ୍କ ବିରୋଧୀ ଗୋଷ୍ଠୀ। ଗଞ୍ଜାମ ବିଜେଡିରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳର ଫାଇଦା ନେବାକୁ ବିଜେପି ଏବଂ କଂଗ୍ରେସ ଚେଷ୍ଟା ଚଳାଇଛନ୍ତି। ନଚେତ୍ ଶାସକ ବିଜେଡିକୁ ଏହା ବହୁତ ମହଙ୍ଗା ପଡିପାରେ। କାରଣ ୨୦୨୪ ନିର୍ବାଚନରେ ବିଜେଡିକୁ ଯୁଦ୍ଧଂଦେହି ଡାକରା ଦେଇଛି କେନ୍ଦ୍ରରେ ନେତୃତ୍ଵାଧୀନ ବିଜେପି। ଦଳ ବିଜେଡି ବିରୋଧରେ ଆକ୍ରମଣାତ୍ମକ ରଣନୀତି ଆପଣେଇଛି। ତେଣୁ ନିର୍ବାଚନ ପୂର୍ବରୁ ବିଜେଡି ଦଳୀୟ କନ୍ଦଳକୁ କେମିତି ପ୍ରଶମିତ କରୁଛି ତାହା ଦେଖିବା ବାକି ରହିଲା।