Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରସଙ୍ଗ ଥିଲା ଖାନା, ପହଞ୍ଚିଗଲେ ଥାନା, ସତ୍ୟପାଲ ମଲିକଙ୍କ ହଙ୍ଗାମାର ପ୍ରକୃତ କାରଣ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଏବଂ ପୋଲିସ୍ ମଧ୍ୟରେ ଶନିବାର ହାଇଡ୍ରାମା ଦେଖିବାକୁ ମିଳିଛି। ଫଳରେ ସମର୍ଥକଙ୍କ ସହ ମଲିକ ଆରକେପୁରମ ଥାନା ପହଞ୍ଚିବାରୁ ତାଙ୍କର ଗିରଫଦାରୀ ନେଇ ଗୁଜବ ପ୍ରଚାରିତ ହୋଇଥିଲା। ପୋଲିସ୍ ଗିରଫଦାରୀ ଖବରକୁ ମିଥ୍ୟା ବୋଲି କହିଛି। ମଲିକ ଖାପ ପଞ୍ଚାୟତର ଅଧ୍ୟକ୍ଷ ଏବଂ କୃଷକ ନେତାଙ୍କୁ ନିଜ ଘରକୁ ଭୋଜନ ପାଇଁ ଡକାଇଥିଲେ। ସୋମ ବିହାର ସ୍ଥିତ ଭଡା ଘରେ ଜାଗା କମଥିବାରୁ ସେ ପାର୍କରେ ଭୋଜନ ଏବଂ ବୈଠକର ବ୍ୟବସ୍ଥା କରିଥିଲେ। କିନ୍ତୁ ପୋଲିସ ପାର୍କରେ କାର୍ଯ୍ୟକ୍ରମ ହେବାକୁ ଦେଇନଥିଲା। ବିନା ଅନୁମତିରେ ବୈଠକ କରାଯାଉଥିବା ପୋଲିସ୍ କହିଛି।

ଏହା ପରେ ମଲିକ ନିଜ ସମର୍ଥକଙ୍କ ସହିତ ଆରକେପୁରମ ଥାନା ପହଞ୍ଚିଥିଲେ। ଅନ୍ୟପଟେ କୃଷକ ନେତା ଗୁରନାମ ସିଂ ଚଢୁନୀ ମଧ୍ୟ ନିଜ ସମର୍ଥକଙ୍କ ସହିତ ବସନ୍ତକୁଞ୍ଜ ଥାନା ପହଞ୍ଚି ଯାଇଥିଲେ। ପ୍ରାୟ ୨ଟା ୩୦ରେ ପୂର୍ବତନ ରାଜ୍ୟପାଳ ଥାନାରୁ ଫେରିଥିଲେ। ହେଲେ ପୋଲିସ ତାଙ୍କୁ ଗିରଫ କରିଥିବା ଖବର ପ୍ରଚାରିତ ହୋଇଥିଲା। ପୋଲିସ ସାମ୍ନାକୁ ଆସି ସତ୍ୟପାଲ୍ ମଲିକଙ୍କ ଗିରଫ ଖବରକୁ ମିଥ୍ୟା ବୋଲି କହିଛି। ବିନା ଅନୁମତିରେ ପାର୍କରେ କାର‌୍ୟ୍ୟକ୍ରମ ଆୟୋଜନକୁ ଆମେ ମନା କରିଥିଲୁ। ହେଲେ ମଲିକ ନିଜ ସମର୍ଥକଙ୍କ ସହ ଥାନାରେ ଆସି ପହଞ୍ଚି ଯାଇଥିଲେ। ଆମେ ତାଙ୍କୁ ଗିରଫ କରିବାର ଅବକାଶ ହିଁ ନାହିଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ଶନିବାର ମଲିକଙ୍କ ମାମଲାରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ନକରାତ୍ମକ ପ୍ରଚାର କରୁଥିବା ଲୋକଙ୍କୁ ଆମେ ନିନ୍ଦା କରୁଛୁ। ଏମାନେ ଦେଶର ପ୍ରଗତିରେ ବାଧା ଉତ୍ପନ କରୁଛନ୍ତି। ଦେଶରେ ସକରାତ୍ମକ ଚିନ୍ତାଧାରା ବିଶିଷ୍ଟ ଲୋକ ମଧ୍ୟ ଅଛନ୍ତି। ଦୁର୍ଭାଗ୍ୟରେ କିଛି ଲୋକ ନକରାତ୍ମକ ଚିନ୍ତାକୁ ଜାବୁଡି ଧରିଛନ୍ତି। ସେମାନେ ଜନତାଙ୍କୁ ଭ୍ରମିତ କରି ଦେଶର ପ୍ରଗତି ରୋକିବାକୁ ଉଦ୍ୟମ କରୁଥିବା ଗୋୟଲ କହିଛନ୍ତି।