ଲଜପତ୍ ରାୟ ଆଇନ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ପାଇଁ କୁଳାଧିପତି ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର


ସମ୍ବଲପୁର:ପୁରାତନ ଛାତ୍ର ସଂସଦ ଅନୁଷ୍ଟିତ କାର୍ଯ୍ୟକାରୀ କମିଟି ସଭାରେ ପୁରାତନ ଛାତ୍ର ସଂଘ ଲଜପତ୍ ରାୟ ଆଇନ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ଦାବୀକୁ ଆଉଥରେ କୁଳାଧିପତି ଓ ମୁଖ୍ୟମନ୍ତ୍ରୀ ଠାରେ ଉପସ୍ଥାପିତ କରିବା ପାଇଁ ନିଷ୍ପତି ଗ୍ରହଣ କରିଛି। ନିଷ୍ପତି ଅନୁଯାୟୀ ସଂଘ ପକ୍ଷରୁ କୁଳାଧିପତି ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ବୋଲି ସଂଘ ପକ୍ଷରୁ ସମ୍ପାଦକ ଦୁର୍ଗା ପାଢ଼ୀ ଓ ସଭାପତି ସତ୍ୟନାରାୟଣ ପଣ୍ଡା ପ୍ରକାଶ କରିଛନ୍ତି। ପୂର୍ବରୁ ମେ ୨୭ ୨୦୨୩ରେ ଏ ଦାବି ସେତେବେଳର ଉଚ୍ଚଶିକ୍ଷା ମନ୍ତ୍ରୀ, ମୂଖ୍ୟମନ୍ତ୍ରୀ ଓ କୁଳାଧିପତିଙ୍କୁ ପ୍ରଦାନ କରାଯାଇଥିଲା।
ଦାବି ପୂରଣ ପାଇଁ ଏକ ପ୍ରତିନିଧି ଦଳ କୁଳାଧିପତି, ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟି ଦାବି ଉପସ୍ଥାପନା କରିବାପାଇଁ ନିଷ୍ପତି ନେଇଛି। ଏହି କମିଟିରେ ସତ୍ୟନାରାୟଣ ପଣ୍ଡା, ଦୁର୍ଗା ପାଢ଼ୀ, ଅରୁଣ କୁମାର, ଲକ୍ଷ୍ମୀ ନାରାୟଣ ପଟେଲ,ସୁମନ୍ତ ସ୍ୱାଇଁ, ବନ୍ଦିତା ମିଶ୍ର, ସିପ୍ରା ମହାନ୍ତି, ଚନ୍ଦ୍ର ମହାନ୍ତି,ପ୍ରକାଶ ଶତପଥି, ଭଗତ ସିଂ, ରଞ୍ଜିତ ସିଂ ହୁର(ରିଂପୁ ), ଚିନମୟ ଶତପଥୀ, ପ୍ରଶାନ୍ତ ପ୍ରଧାନ ପ୍ରମୁଖଙ୍କ ସହ ଅନ୍ୟ ବରିଷ୍ଠ ସଦସ୍ୟ ବି ରହୁଛନ୍ତି। କମିଟି ସମ୍ବଲପୁର ବିଧାୟକ,ସାଂସଦ ଙ୍କ ସମେତ ଉଚ୍ଚ ଶିକ୍ଷାମନ୍ତ୍ରୀ, ମୁଖ୍ୟ ମନ୍ତ୍ରୀ, କୁଳାଧିପତି ଙ୍କୁ ଭେଟି କଲେଜ କୁ ବିଶ୍ଵବିଦ୍ୟାଳୟ ମାନ୍ୟତା ଦାବି ଉପସ୍ଥାପିତ କରିବା ସହ ପଶ୍ଚିମର ସବୁ ଆଇନ ମହାବିଦ୍ୟାଳୟ ଗୁଡ଼ିକୁ .. ବଲାଙ୍ଗୀର ଆଇନ୍ ମହାବିଦ୍ୟାଳୟ, କଳାହାଣ୍ଡି ମହାବିଦ୍ୟାଳୟ, ସୋନପୁର ମହାବିଦ୍ୟାଳୟ, ବରଗଡ଼ ଆଇନ ମହାବିଦ୍ୟାଳୟ, ନୂଆପଡ଼ା ଆଇନ ମହାବିଦ୍ୟାଳୟ, ଝାରସୁଗୁଡ଼ା ଆଇନ ମହାବିଦ୍ୟାଳୟ , ବରଗଡ଼ ବିକାଶ ଆଇନ ମହାବିଦ୍ୟାଳୟ କୁ ସମ୍ବଲପୁର ଆଇନ ମହାବିଦ୍ୟାଳୟ ଅଧିନରେ ରଖିବା ପାଇଁ ଦାବି ଉପସ୍ଥାପନା କରିବ। ପ୍ରକାଶ ଥାଉକି ବର୍ତ୍ତମାନ ଏହି ଆଇନ୍ ମହାବିଦ୍ୟାଳୟ ଗୁଡ଼ିକ ମଧୁସୂଦନ ଆଇନ ମହାବିଦ୍ୟାଳୟ ଅଧିନରେ ଅଛି।
ବିଶ୍ଵବିଦ୍ୟାଳୟର ଦାବି ସହିତ ଅନ୍ୟାନ୍ୟ ଦାବି ବି ପୁରାତନ ଛାତ୍ର ସାଂସଦ ଉପସ୍ଥାପନ କରିବ।
୧୯୬୫ ରେ ଆରମ୍ଭ ହୋଇଥିବା ସମ୍ବଲପୁର ଆଇନ ମହାବିଦ୍ୟାଳୟ ପ୍ରଥମେ ଉତ୍କଳ ବିଶ୍ଵବିଦ୍ୟାଳୟ ଅଧୀନରେ ରେ ଥିଲା। ୧୯୬୯ରେ ସମ୍ବଲପୁର ବିଶ୍ୱବି୍ୟାଳୟ ଅଧିନକୁ ଆସିଥିଲା। ଏହି ଆଇନ ମହାବିଦ୍ୟାଳୟ ୬୦ ବର୍ଷ ପୂରଣ କରିବାକୁ ଯାଉଥିବାବେଳେ ଦେଶ ଓ ରାଜ୍ୟରେ ପୁରାତନ ଆଇନ ମହାବିଦ୍ୟାଳୟ ମଧ୍ୟରେ ଅନ୍ତର୍ଭୁକ୍ତ। ୨୦୧୫ ରେ ପୁରାତନ ଛାତ୍ର ସାଂସଦ ସୁବର୍ଣ୍ଣ ଜୟନ୍ତୀ ପାଳନ କରିସାରିଛି। ଏ ବର୍ଷ ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଛି। ୨ ବର୍ଷ ଧରି ହୀରକ ଜୟନ୍ତୀ ବହୁ ଆଡ଼ମ୍ବରରେ ବିଭିନ୍ନ ସାମାଜିକ,ସଂସ୍କୃତି ଓ ଶିକ୍ଷା ବିଶେଷ କରି ଆଇନ ବିଷୟ ନେଇ ପାଳନ କରିବ। ଏଥିପାଇଁ ୬୦ ଜଣିଆ ହୀରକ ଜୟନ୍ତୀ କମିଟି ବି ଗଠନ କରାଯାଇଛି। ପୁରାତନ ଛାତ୍ର ସଂସଦ ଏହାର ନେତୃତ୍ୱ ନେଉଛି। ହୀରକ ଜୟନ୍ତୀ ପାଇଁ ଏକ ରଙ୍ଗୀନ ସ୍ମରଣିକା ବି ପ୍ରକାଶ ପାଇବ। ଏଥିପାଇଁ ଆବଶ୍ୟକୀୟ ଲେଖା, ଆଲେଖ୍ୟ ପାଇଁ ଅନୁରୋଧ କରାଯାଉଛି। ମାର୍ଚ୍ଚ ଶେଷ ସପ୍ତାହରୁ ହୀରକ ଜୟନ୍ତୀ କାର୍ଯ୍ୟକ୍ରମ ଆରମ୍ଭ ହେବ। ବହୁ ଜାତୀୟ କର୍ମଶାଳା ବି ଆୟୋଜନ କରାଯିବ। ସବୁ ପୂର୍ବ ଶିକ୍ଷକ,ସବୁ ବର୍ଷର ଶ୍ରେଷ୍ଠ ୧୦ ଛାତ୍ର ଓ ଅନେକ ବରିଷ୍ଠ ପ୍ରତିଷ୍ଠାବାନ ପୁରାତନ ଛାତ୍ରଙ୍କୁ ଏ ଅବସରରେ ସମ୍ବର୍ଦ୍ଧିତ କରାଯିବ। କଲେଜ ଫୋଟୋ ଥାଇ ଏକ ସ୍ଵତନ୍ତ୍ର ସ୍ମରଣିକା ପ୍ରସ୍ତୁତ କରାଯିବ। ଏହାକୁ ଏକ ବିକଶିତ ଆଇନ ଶିକ୍ଷା ଅନୁଷ୍ଠାନ ରେ ପରିଣତ କରିବାରେ ସବୁ ପ୍ରକାର ଚେଷ୍ଟା କରାଯିବ ବୋଲି ପୁରାତନ ଛାତ୍ର ସାଂସଦ ନିଷ୍ପତି ନେଇଛି।
୬୦ ବର୍ଷର ଏହି ଆଇନ ମହାବିଦ୍ୟାଳୟ ନିଜସ୍ଵ ପଟ୍ଟା ପାଇଥିବାରୁ ନ୍ୟାୟଧିସ ଶ୍ରୀମାନ ଚିତ୍ତରଞ୍ଜନ ଦାସଙ୍କୁ ସ୍ଵତନ୍ତ୍ର ରୂପରେ ଧନ୍ୟବାଦ୍ ଜ୍ଞାପନ କରିଛି। ଏତଦବ୍ୟତୀତ ଉତ୍ତରାଞ୍ଚଳ ଆର ଡି ସି, ଆଦିସିନାଲ କମିଶନର ସୁକାନ୍ତ ତ୍ରିପାଠୀ ଓ ପଟ୍ଟା ପାଇଁ ସହଯୋଗ କରିଥିବା ଓକିଲ ସଭ୍ୟଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଛି।
ସଭାପତି ସତ୍ୟନାରାୟଣ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକାରିଣୀ ସଭାରେ ସମ୍ପାଦକ ଦୁର୍ଗା ପାଢ଼ୀ ସ୍ବାଗତ କରିବା ସହ ସଭାର ଉଦ୍ଦେଶ୍ୟ କହିଥିଲେ।ଶେଷରେ ଓକିଲ ବରିଷ୍ଠ ସଦସ୍ୟ ଅରୁଣ କୁମାର ଧନ୍ୟବାଦ୍ ପ୍ରଦାନ କରିଥିଲେ।