ଉପର ମୁହାଁ ସୁନା ଦର: ୯୫ ହଜାର ପାର, ଶୀଘ୍ର ଛୁଇଁବ ଲକ୍ଷେ


ଓଡ଼ିଶା ଡଟ୍ ନ୍ୟୁଜ: କିଛିଦିନ ତଳମୁହାଁ ହେବା ପରେ ପୁଣି ଉପର ମୁହାଁ ହୋଇଛି ସୁନା ଦର । କେବଳ ଉପର ମୁହାଁ ହୋଇନି, ଲମ୍ବା ଡିଆଁ ମାରି ୧୦ ଗ୍ରାମକୁ ୯୫ ହଜାର ଟଙ୍କା ପାର ହୋଇଯାଇଛି । ଏମିତି ଲାଗୁଛି, ଦିନେ କି ଦୁଇ ଦିନରେ ଏକ ଲକ୍ଷ ଟଙ୍କା ଅତିକ୍ରମ କରିଯିବ ।

ସୂନାଯୋଗ୍ୟ, ୩ ଦାମରେ ସୁନା ଦାମ ୫ ହଜାରରୁ ଅଧିକ ଟଙ୍କା ବଢ଼ିଛି । ଆଜି ବି ସୁନା ଦର ବୃଦ୍ଧି ପାଇଛି । ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ୨,୦୨୦ ଟଙ୍କା ବୃଦ୍ଧି ପାଇ ୯୫ ହଜାର ୪୦୦ ଟଙ୍କାରେ ପହଞ୍ଚି ସର୍ବକାଳୀନ ରେକର୍ଡ କରିଛି । ସେହିପରି ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧,୮୫୦ ଟଙ୍କା ବଢ଼ି ୮୭ ହଜାର ୪୫୦ ଟଙ୍କା ହୋଇଛି ।

ଗତକାଲି ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୫ ହଜାର ୬୦୦ ଥିଲା । ୨୪ କ୍ୟାରେଟ୍ ସୁନା ୯୩,୩୮୦ ଟଙ୍କା ରହିଥିଲା । ହେଲେ ୩ ଦିନ ହେଲା ଲଗାତାର ଦାମ୍ ବଢିବା ସହ ଲକ୍ଷେ ମୁହାଁ ହୋଇଛି ସୁନା । ୨୪ କ୍ୟାରେଟ୍ ସୁନା ୯୫ ହଜାର ଟଙ୍କା ଅତିକ୍ରମ କରିଛି । ସେହିପରି ରୁପା କିଲୋ ୧ ଲକ୍ଷ ୮ ହଜାର ଟଙ୍କା ରହିଛି ।

ମାର୍ଚ୍ଚ ୧ରେ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦାମ ୧୦ ଗ୍ରାମ ପିଛା ୭୯ ହଜାର ୪୦୦ ଟଙ୍କାରେ ବିକ୍ରି ହେଉଥିଲା । ହେଲେ ମାସକ ଭିତରେ ଦାମ୍ ୮୭, ୪୫୦ ଟଙ୍କାରେ ପହଞ୍ଚିଛି । ଆଗକୁ ବିବାହ ଋତୁ ଥିବାବେଳେ ସୁନାର ଏହି ବର୍ଦ୍ଧିତ ଦର ସାଧାରଣ ଗ୍ରାହକଙ୍କ ପାଇଁ ଦାଉ ସାଧିଛି ।

ଆନ୍ତର୍ଜାତିକ ବଜାରରେ ସୁନା ଦାମ ବଢ଼ିବାରେ ଲାଗିଛି । ସେଥିପାଇଁ ଭାରତରେ ବି ତାହାର ପ୍ରଭାବ ଦେଖିବାକୁ ମିଳୁଛି । ଆମେରିକାର ଟ୍ରମ୍ପ୍ ପ୍ରଶାସନର କଟକଣା ନିଷ୍ପତ୍ତି ଷ୍ଟକ୍ ବଜାରକୁ ପ୍ରଭାବିତ କରୁଛି । ତେଣୁ ନିବେଶକମାନେ ଷ୍ଟକ୍ ମାର୍କେଟ୍ ବଦଳରେ ସୁନାରେ ପୁଞ୍ଜିନିବେଶକୁ ଅଧିକ ସୁରକ୍ଷିତ ମଣୁଛନ୍ତି । ଯାହା ସୁନା ଦାମ ବୃଦ୍ଧିର କାରଣ ପାଲଟିଛି ।