Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ପାଇଁ ବନ୍ଦ ହେଲା ଦକ୍ଷିଣର ଦ୍ଵାରା, ଏବେ ଏହି ରାଜ୍ୟରେ ଏଣ୍ଟ୍ରି କରିବାକୁ ଉଦ୍ୟମ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଭାରତୀୟ ଜନତା ପାର୍ଟି(ବିଜେପି) ବଡ଼ ପରାଜୟ ଅଭିମୁଖେ ଆଗକୁ ବଢୁଛି। ଅନ୍ୟପଟେ କଂଗ୍ରେସ ସ୍ପଷ୍ଟ ବହୁମତ ହାସଲ ଦିଗରେ ଅଗ୍ରସର। ଦଳ ଅଧାରୁ ଅଧିକ ସିଟରେ ଆଗୁଆ ରହିଥିବା ବେଳେ ଅନେକ ସିଟ୍ ମଧ୍ୟ ଜିତି ସାରିଲାଣି। ଏଥିସହ ରାଜ୍ୟରେ ୪ ଦଶନ୍ଧିର ପୁରୁଣା ପରମ୍ପରା କାଏମ ରହୁଥିବା ଦେଖିବାକୁ ମିଳିଛି। କ୍ଷମତାସୀନ ବିଜେପି କ୍ଷମତାଚ୍ୟୁତ୍ ହେଉଥିବା ବେଳେ କଂଗ୍ରେସ ପ୍ରତ୍ୟାବର୍ତ୍ତନ କରିଛି।

କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, କେରଳ ଏବଂ ତେଲଙ୍ଗାନା ଦେଶର ୫ ପ୍ରମୁଖ ଦକ୍ଷିଣ ଭାରତୀୟ ରାଜ୍ୟ। କର୍ଣ୍ଣାଟକକୁ ଦକ୍ଷିଣର ପ୍ରବେଶ ଦ୍ଵାର କୁହାଯାଏ। ଏହି ରାଜ୍ୟରେ ପରାଜୟ ସହିତ ବିଜେପି ପାଇଁ ଦକ୍ଷିଣର ଦ୍ଵାର ବନ୍ଦ ହୋଇଯିବ। କର୍ଣ୍ଣାଟକ ବ୍ୟତୀତ ଅନ୍ୟ କୌଣସି ଦକ୍ଷିଣ ଭାରତୀୟ ରାଜ୍ୟରେ ବିଜେପି କ୍ଷମତାରେ ନାହିଁ। କର୍ଣ୍ଣାଟକ ବ୍ୟତୀତ ତେଲଙ୍ଗାନା ଏକମାତ୍ର ଏମିତି ରାଜ୍ୟ ଯେଉଁଠି ବିଜେପିର କିଛି ସ୍ଥିତି ରହିଛି। ଏହି ରାଜ୍ୟରେ ଦଳର ୪ ସାଂସଦ ରହିଛନ୍ତି। ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ ଏବଂ କେରଳରେ ବିଜେପିର କୌଣସି ସ୍ଥିତି ନାହିଁ।

ଏବେ ଏହି ରାଜ୍ୟରେ ପ୍ରବେଶ କରିବାକୁ ଉଦ୍ୟମ

କର୍ଣ୍ଣାଟକରେ ପରାଜୟ ପରେ ବିଜେପିର ଫୋକସ୍ ପୁଣି ଥରେ ଦକ୍ଷିଣରେ ପ୍ରବେଶ କରିବା ଉପରେ ରହିଛି। ଦକ୍ଷିଣ ଭାରତୀୟ ରାଜ୍ୟରେ ପରବର୍ତ୍ତୀ ନିର୍ବାଚନ ତେଲଙ୍ଗାନାରେ ହେବାକୁ ଯାଉଛି। ଉକ୍ତ ରାଜ୍ୟରେ ବର୍ତ୍ତମାନ ସରକାରରେ କେସିଆରଙ୍କ ନେତୃତ୍ଵାଧୀନ ଭାରତ ରାଷ୍ଟ୍ର ସମିତି(ବିଆରଏସ) ରହିଛି। ବିଜେପି ଏଠାରେ ପୂରା ଦମର ସହ ପ୍ରସଙ୍ଗ ଉଠାଇ ମଇଦାନରେ ରହିଛି। ଚଳିତ ବର୍ଷ ଡିସେମ୍ବରରେ ତେଲଙ୍ଗାନାରେ ନିର୍ବାଚନ ହେବାକୁ ଯାଉଛି।

ତେଲଙ୍ଗାନାରେ ନିକଟ ଦିନର ରାଜନୀତି ଘଟଣାକ୍ରମକୁ ଦେଖିଲେ ଏହା ନିଶ୍ଚିତ ରୂପେ ପ୍ରତୀତମାନ ହେଉଛି ଯେ, ବିଜେପି କେସିଆରଙ୍କୁ ସିଧାସଳଖ ଟକ୍କର ଦେବାକୁ ଅଣ୍ଟା ଭିଡ଼ିଛି। ବଡ଼ ପ୍ରଶ୍ନ କଣ ବିଜେପି କେସିଆରଙ୍କୁ କଡ଼ା ଟକ୍କର ଦେଇ ପାରିବ ଏବଂ ତେଲଙ୍ଗାନାବାସୀଙ୍କ ହୃଦୟ ଜିତି ପାରିବ ? କେସିଆରଙ୍କ ନିକଟରେ ସ୍ଥିତି ଅନୁକୂଳ ରହିଛି।

ହେଲେ ବିଜେପି ତେଲଙ୍ଗାନାରେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ଵରେ ବିଆରଏସ ପାଇଁ ବଡ଼ ଚ୍ୟାଲେଞ୍ଜ ଭାବେ ଆର୍ବିଭାବ ହୋଇଛନ୍ତି। ଏହାର କିଛି ପ୍ରଭାବ ବିଧାନସଭା ଉପ ନିର୍ବାଚନରେ ଦେଖିବାକୁ ମିଳିଛି ଏବଂ ବିଜେପି ଏଠାରେ ବିଜୟ ହାସଲ କରିଛି। ଏହା ବ୍ୟତୀତ ୨୦୨୦ରେ ହାଇଦ୍ରାବାଦ ମ୍ୟୁନିସିପାଲଟି ନିର୍ବାଚନରେ ମଧ୍ୟ ବିଜେପି ଦମଦାର ପ୍ରଦର୍ଶନ କରିଥିଲା। ତେଣୁ ପ୍ରଶ୍ନ ଉଠୁଛି କଣ ବିଜେପି କର୍ଣ୍ଣାଟକ ପରାଜୟ ପରେ ପୁନର୍ବାର ଦକ୍ଷିଣରେ ପ୍ରବେଶ କରି ପାରିବ ? କଣ ବିଜେପି ନିଜର ଧାର୍ମିକ ରାଜନୀତି ଏବଂ ରାଷ୍ଟ୍ରବାଦ ଶେଳୀରେ କେସିଆରଙ୍କୁ ମାତ୍ ଦେଇ ପାରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ