ପରବର୍ତ୍ତୀ ମ୍ୟାଚରେ ନୂତନ ଜର୍ସି ପିନ୍ଧି ଖେଳିବ ଗୁଜରାଟ୍ ଟାଇଟନ୍ସ, ଏହା ପଛର କାରଣ କ’ଣ ?


ନୂଆଦିଲ୍ଲୀ: ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଗୁଜରାଟ୍ ଟାଇଟନ୍ସକୁ ପରାଜୟର ମୁହଁ ଦେଖିବାକୁ ମିଳିଛି। ଏବେ ଗୁଜରାଟ୍ ନିଜର ହୋମ ଗ୍ରାଉଣ୍ଡରେ ପରବର୍ତ୍ତୀ ମ୍ୟାଚ୍ ଖେଳିବ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ଵାଧୀନ ଦଳ ସୋମବାର ଆଗାମୀ ମ୍ୟାଚରେ ହାଇଦ୍ରାବାଦକୁ ଭେଟିବ। ଏହି ମ୍ୟାଚରେ ଗୁଜରାଟ୍ ଟାଇଟନ୍ସ ନିଜର ପରମ୍ପରାଗତ ନୀଳ ଜର୍ସିରେ ନଜର ଆସିବ ନାହିଁ। ଏକ ଖାସ୍ କାରଣରୁ ଦଳ ନୂତନ ରଙ୍ଗର ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବ।

ସୋମବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମୁକାବିଲାରେ ଦଳ ଲେଭେଣ୍ଡର ରଙ୍ଗର ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବ। ଏହା ପଛର କାରଣ ଦଳ କ୍ୟାନ୍ସର ବିରୋଧରେ ଜନସଚେତନତା ଅଭିଯାନ ଚଲାଇବାକୁ ଚାହୁଁଛି। ଏହି ବିଶେଷ କାରଣରୁ ଦଳ ନିଜର ପରବର୍ତ୍ତୀ ହାଇଦ୍ରାବାଦ ବିପକ୍ଷ ମୁକାବିଲାରେ ଏହି ରଙ୍ଗର ପୋଷାକ ପିନ୍ଧିବ।

ଗୁଜରାଟ୍ ଟାଇଟନ୍ସ ନୂତନ ରଙ୍ଗ ଜର୍ସିର ଅନାବରଣ କରି ସାରିଛି ଏବଂ ଟୁଇଟରେ ଏହାର ସୂଚନା ଦିଆଯାଇଛି। ଏଥିରେ ନୂତନ ଜର୍ସି ପିନ୍ଧିବାର କାରଣ ମଧ୍ୟ ଉଲ୍ଲେଖ ରହିଛି। ଗୁଜରାଟ୍ ଟାଇଟନ୍ସ ସମସ୍ତ ସ୍ଵାସ୍ଥ୍ୟଗତ ସମସ୍ୟାକୁ ଗୁରୁତ୍ଵ ଦେଇଥାଏ। ତେଣୁ ଦଳ କ୍ୟାନ୍ସର ବିରୋଧରେ ଜନ ସଚେତନତା ବଢାଇବାକୁ ଉଦ୍ୟମ କରୁଛି। ହେଲେ ଗତ ବର୍ଷ ଗୁଜରାଟ୍ ଏହି ଧରଣର କୌଣସି କ୍ୟାମ୍ପେନ କରିନଥିଲା।

ଦଳର ପ୍ରଦର୍ଶନ ଉପରେ ନଜର ପକାଇଲେ ଆଇପିଏଲ ୨୦୨୩ରେ ଗୁଜରାଟ୍ ଟାଇଟନ୍ସ ଚମ୍ପିଆନ ପରି ଖେଳି ଆସିଛି। ୨୦୨୨ର ଚମ୍ପିଆନ ଏହି ଦଳ ଏଥର ମଧ୍ୟ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଦଳ ସର୍ବ ପ୍ରଥମେ ୧୬ ପଏଣ୍ଟ ହାସଲ କରି ପ୍ରାୟତଃ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛି।

ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ସଫଳ ହୋଇଛି ପାରଳାଖେମୁଣ୍ଡି:୧୭/୭(ଗରୁଡ ଧ୍ଵଜ ଚୌଧୁରୀ): ସମଗ୍ର ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ଡାକରାକୁ ମିଳିଛି ଜନସମର୍ଥନ. ଗଜପତି ଜିଲ୍ଲାର ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲା ର ମୋଟ 7 ଗୋଟି ବ୍ଲକ ଯଥା ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ, ଗୋଷଣୀ ଓ କାଶୀନଗର ଏନଏସି ଓ ବ୍ଲକ ଅଞ୍ଚଳରେ ସଫଳ ହୋଇଛି ବନ୍ଦ ପାଳନା। ସାରା ଜିଲ୍ଲାରେ ବନ୍ଦ ପାଳନ ଯୋଗୁଁ ଜୀବନ ଯାତ୍ରା ସମ୍ପୂର୍ଣ ବ୍ୟାହତ ହୋଇଛି। ଚକ ଅଖ ବନ୍ଦ ଥିବା ବେଳେ ସମସ୍ତ ସ୍କୁଲ କଲେଜ ସରକାରୀ ବେସରକାରୀ ଅନୁଷ୍ଠାନ ଦୋକାନ ବଜାର, ସରକାରୀ ଅଫିସ ଓ ବ୍ୟାଙ୍କ ଆଦି ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ନାରୀକୁ ସୁରକ୍ଷା ଦେବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଗଜପତି ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ପ୍ରକାଶ କରି କହିଛନ୍ତିଯେ, ବାଲେଶ୍ବର ଫକୀରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ସୁରକ୍ଷା ଦେଇ ପାରି ନାହାଁନ୍ତି ସରକାର। ତାଙ୍କ ଅସ୍ଵାଭାବିକ ମୃତ୍ୟୁ ପଛରେ ଥିବା ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ସହ ପିଡିତାଙ୍କ ପରିବାରକୁ ୫ କୋଟି ସହାୟତା ପ୍ରଦାନ ଦାବି କରିଛନ୍ତି. ଏହି ବନ୍ଦ ପାଳନରେ ଗଜପତି ଜିଲ୍ଲା ସିପିଏମ ଦଳର ଦଣ୍ଡ ପାଣି ରଇତ, ସିପିଆଇର ଶ୍ରୀନିବାସ ବେହେରାଙ୍କ ସମେତ ବହୁ ବାମପନ୍ଥି ସଦସ୍ୟ ଯୋଗ ଦେଇ ବନ୍ଦ ପାଳନକୁ ସମ୍ପୂର୍ଣ ସଫଳ କରିଥିଲେ. କଂଗ୍ରେସ ନେତ୍ରୀ ଜସ୍ମିନ ଶେଖଙ୍କ ସମେତ ବହୁ ନେତା କର୍ମୀ ପାରଳାଖେମୁଣ୍ଡି ଠାରେ ବନ୍ଦ ପାଳନରେ ସାମିଲ ହୋଇଥିଲେ. ବିଜେପି ସରକାରଙ୍କ ବିଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଫଟୋଚିତ୍ରକୁ ଦାହ କରିବା ସହ ସେମାନଙ୍କ ଇସ୍ତଫା ଦାବି କରାଯାଇଥିଲା.