ଥାନା ଜମିରେ ଆବାସ ଘର; ଅନୁମତି ଦେଲା କିଏ?


ବାଲିଗୁଡା, ତା, ୩୧/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଜମିରେ ଅମାନିଆ ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କରିଥିଲେ ହିତାଧିକାରୀ । ଥାନା ଜମିରେ ଘର କରିବାକୁ ଅନୁମତି କିଏ ଦେଲା ତାକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠିଛି । ବର୍ତ୍ତମାନ ଥାନା ଜମି ଚାରି ପାଖରେ ପାଚେରୀ ନିର୍ମାଣ କାର୍ଯ୍ୟ ଚାଲିଛି । ଥାନା ଜମି ମଧ୍ୟରେ ଆବାସ ଘର ନିର୍ମାଣ ହୋଇଥିବା ବେଳେ ତାର ଚାରି ପାଖରେ ପାଚେରୀ ନିର୍ମାଣ ହେଉଛି। ସୂଚନା ମୁତାବକ, ଦାରିଙ୍ଗବାଡି ଗାଁର ସୁରିଆ ମହାପାତ୍ର ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପାଇଥିଲେ । ସରକାରୀ ନିୟମ ପ୍ରକାରେ ନିଜ ପଟା ଜମିରେ ଘର ନିର୍ମାଣ କରିବାର ନିୟମ ରହିଥିବା ବେଳେ ସୁରିଆ ଥାନା ଜମିରେ ଘର କରିଥିଲେ । ଘର କରିବା ସମୟରେ ଦାରିଙ୍ଗବାଡି ଥାନା ପକ୍ଷରୁ ବାରମ୍ବାର ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ କୁହାଯାଇଥିଲେ ସୁଦ୍ଧା ପୁଲିସ ବିଭାଗର ନିର୍ଦ୍ଦେଶକୁ ଅବମାନନା କରି ଜବରଦସ୍ତ ଗୃହ ନିର୍ମାଣ କରିଥିଲେ ସୁରିଆ । ଏଭଳି ଭାବେ ସୁରିଆ ମହାପାତ୍ର ପୁଲିସକୁ ଏକ ପ୍ରକାର ଚ୍ୟାଲେଞ୍ଜ ଦେଇ ଥାନା ଜମିକୁ ଦଖଲ କରି ଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ । ବର୍ତ୍ତମାନ ସୁରିଆଙ୍କ ପରିବାର ଉକ୍ତ ଘରେ ରହୁଥିବା ବେଳେ ପାଚେରୀ ନିର୍ମାଣ କାର୍ଯ୍ୟ ଚାଲିଛି । ଯଦି ପାଚେରୀ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୁଏ ତାହାଲେ ଘରୁ ବାହାରିବା ଆଉ ସମ୍ଭବ ହେବ ନାହିଁ । ଦାରିଙ୍ଗବାଡି ପୁଲିସ ମନା କରିବା ସତ୍ତ୍ୱେ ଅମାନିଆ ହୋଇ ଘର ନିର୍ମାଣ କରିବା ସୁରିଆକୁ ବର୍ତ୍ତମାନ ମହାଙ୍ଗା ପଡ଼ିଛି । ପାଚେରୀ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଘରୁ ବାହାରକୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ । ଅନ୍ୟପଟେ ଥାନା ଜମିରେ ଘର ନିର୍ମାଣ କରିବା ବେଳେ ବ୍ଲକ ପ୍ରଶାସନ ନିଭଳି ଜାଣି ପାରିଲା ନାହିଁ ଓ ନିର୍ମାଣ କରିବା ପାଇଁ କିଏ ଓ କେଉଁଭଳି ପରିସ୍ଥିତିରେ ଅନୁମତି ଦେଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଏଭଳି କି ଉକ୍ତ ଘର କାର୍ଯ୍ୟର ବିଲ କିଭଳି ହେଲା, ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ଯଦି ବ୍ଲକ ପ୍ରଶାସନ ଏଥିପ୍ରତି ପୂର୍ବରୁ ଦୃଷ୍ଟି ଦେଇଥାନ୍ତା, ତାହାଲେ ହୁଏତ ଆଜି ଏଭଳି ପରିସ୍ଥିତି ଉପୁଜି ନଥାନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି ।