Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଇକ୍‌ରେ ବିକଟାଳ ଶବ୍ଦ କରିବା ଘଟଣା ରେ ୨ ଯୁବକଙ୍କୁ ଥାନାରେ ଅଟକ ରଖିଲା ପୋଲିସ

ବାଲିଗୁଡା, ତା, ୩୧/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): ଏକ ବାଇକ୍‌ରେ ୩ ଜଣ ଯୁବକ ଘୂରି ବୁଲିବା ବାଇକ୍‌ରେ ଷ୍ଟଣ୍ଟ୍‌ ଦେଖାଇବା ସହ ବିକଟାଳ ଶବ୍ଦ ପ୍ରଦୂଷଣ କରି ଉତ୍ପାତ ହେବା ମହଙ୍ଗା ପଡ଼ିଛି। ପୋଲିସ ସେମାନଙ୍କୁ ରାଜପଥରେ ଅଟକାଇ କାବୁ କରି ଥାନାକୁ ନେଇଛି। ତେବେ ପୋଲିସ କାବୁ କରିବା ସମୟରେ ଜଣେ ଚମ୍ପଟ ମାରିଥିବା ବେଳେ ଦୁଇଜଣଙ୍କୁ ପୋଲିସ ଥାନାକୁ ନେଇଛି। ଏଥିସହ ଏକ ପଲସର ବାଇକ୍‌କୁ ପୋଲିସ ଜବତ କରିଛି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଅଞ୍ଚଳରେ। ପ୍ରକାଶ ଯେ, ଗୁରୁବାର ମଧ୍ୟାହ୍ନରେ ୩ ଜଣ ଯୁବକ କଳା ଓ ନୀଳ ରଙ୍ଗର ପଲସର ବାଇକ୍‌ରେ ସିମନବାଡ଼ି ବଜାର ସମେତ ରାଇକିଆ ରୋଡ୍‌, ୫୯ ନଂ ଜାତୀୟ ରାଜପଥ ଉପରେ ଦ୍ରୁତଗତିରେ ବାଇକ୍‌ ଚଳାଇବା ସହ ଷ୍ଟଣ୍ଟ ଦେଖାଉଥିଲେ। ସେହିପରି ଉକ୍ତ ବାଇକ୍‌ର ସାଇଲେନ୍ସରକୁ ବାହାର କରି ଅଧିକ ଶବ୍ଦ ବାହାରୁଥିବା ସାଇଲେନ୍ସର ଲଗାଯାଇଛି। ଫଳରେ ବାଇକର ଏକ୍ସଲେଟର୍‌ ମୋଡ଼ିଲେ ଅଧିକ ଶବ୍ଦ ତଥା ବିକଟାଳ ଶବ୍ଦରେ କିଛି ସମୟ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିଲା ଏହି ୩ ଜଣ ଯୁବକ ଗତ କିଛିଦିନ ହେଲା ଅଞ୍ଚଳରେ ଉତ୍ପାତ କରୁଥିବାବେଳେ ଗୁରୁବାର ପୋଲିସ ପାଟ୍ରୋଲିଂ କରିବା ସମୟରେ ପୋଲିସ ହାବୁଡ଼ରେ ପଡ଼ିଥିଲେ। ପୋଲିସ ୨ ଜଣଙ୍କୁ ପଚରାଉଚରା କରୁଥିବା ବେଳେ ବାଇକ୍‌ଟି କାହାର ସେନେଇ ଖୋଳତାଡ଼ କରୁଥିବା ନେଇ ସବ୍‌ଇନ୍ସପେକ୍ଟର ଜୟନ୍ତ କୁମାର ସେଠୀ କହିଛନ୍ତି। ସେ ଓ ଏଏସ୍‌ଆଇ ଅର୍ଜୁନ ଶବର ସଦଳବଳ ପାଟ୍ରୋଲିଂ କରିବା ସମୟରେ ବାଇକ୍‌ ଚାଳକ ଓ ଅନ୍ୟ ଜଣେ ଧରାପଡ଼ିଥିବା କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ