ନାବାଳିକା ଅପହରଣ ଓ ବଳାତ୍କାର ମାମଲା : ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ


କନ୍ଧମାଳ, ତା, ୧୫/୦୮:(ସଞ୍ଜୟ କୁମାର ପାଣିଗ୍ରାହୀ): ଏକ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ପୋକସୋ ଅଦାଲତ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ ସହିତ ୫୫ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦେୟ ଅଧିକା ୯ ମାସ ଜେଲ ଭୋଗିବା ପାଇଁ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି l ଅଭିଯୁକ୍ତ ଜଣକ ହେଲେ ଟିକାବାଲି ଥାନା ଉପରଖୋଲ ଅଂଚଳର ରଂଜନ ଦେହୁରୀ(୨୬) । ଘଟଣା ରୁ ପ୍ରକାଶ ଯେ, ୨୦୨୪ ମସିହା ଫେବୃଆରୀ ମାସ ୭ ତାରିଖରେ ଖଜୁରିପଡ଼ା ଥାନା ଅଂଚଳର ଜନୈକା ନାବାଳିକା ସକାଳେ ଘରୁ ବାହାରି ଆଉ ଫେରି ନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରି ମଧ୍ୟ ତାଙ୍କର ସନ୍ଧାନ ପାଇନଥିଲେ । ୧୦ ତାରିଖ ଦିନ ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଖଜୁରିପଡ଼ା ଥାନାରେ ଏତଲା ଦିଆଯାଇଥିଲା । ପୁଲିସ୍ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିବା ପରେ ସେହିଦିନ ହିଁ ନାବାଳିକାଙ୍କୁ ଟିକାବାଲି ଥାନା ଅଂଚଳରୁ ଉଦ୍ଧାର କରିଥିଲା । ପରଦିନ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଗୁରୁବାର ଏହି ମାମଲାର ଶୁଣାଣୀ କରି ପୋକସୋ କୋର୍ଟ ବିଚାରପତି ମନୋରଂଜନ ଦାସ ୧୫ ଜଣ ସାକ୍ଷୀଙ୍କ ବୟାନ, ଡ଼ାକ୍ତରୀ ରିପୋର୍ଟ ଓ ପିଡ଼ିତାଙ୍କ ବୟାନକୁ ଆଧାରରେ ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। ପିଡ଼ିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୁରଣ ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପି.ପି ଅସିମ କୁମାର ପ୍ରହରାଜ ମାମଲା ପରିଚାଳନା କରୁଥିଲେ।