Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚର୍ଚ୍ଚାରେ ରୁଷ ରାଷ୍ଟ୍ରପତିଙ୍କ ‘ପୁପ ସୁଟକେସ୍’…

ଆଲାସ୍କା: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାକୁ ଆସିଥିବା ସମୟରେ ତାଙ୍କ ସହିତ ଏକ ‘ପୁପ ସୁଟକେସ୍’ ଥିବା ଖୁଲାସା ହୋଇଛି। ତେବେ ଏହି ସୁଟକେସରେ କୌଣସି ଡକ୍ୟୁମେଣ୍ଟ କିମ୍ବା ଅସ୍ତ୍ରଶସ୍ତ୍ର ରଖିବା ପାଇଁ ନଥିଲା ବରଂ ଏଥିରେ ପୁଟିନଙ୍କ ମଳ ଥିବା ରିପୋର୍ଟରୁ ଜଣାପଡ଼ିଛି।

ଏକ ରିପୋର୍ଟ ଅନୁଯାୟୀ ରୁଷ ରାଷ୍ଟ୍ରପତିଙ୍କ ସୁରକ୍ଷା କର୍ମୀମାନେ ତାଙ୍କ ଗସ୍ତ ସମୟରେ ତାଙ୍କର ମଳ ଏବଂ ପରିସ୍ରା ସଂଗ୍ରହ କରି ଏହାକୁ ଏକ ସ୍ୱତନ୍ତ୍ର ବ୍ୟାଗରେ ପ୍ୟାକ୍ କରି ରୁଷ ଫେରାଇ ନେଇଥାନ୍ତି। ତେବେ ପୁତିନଙ୍କ ମଳ ଏବଂ ପରିସ୍ରା ଯେପରି ବିଦେଶୀ ମାଟିରେ ନ ରହିଯାଏ ତାର ଦାୟିତ୍ୱ ରାଷ୍ଟ୍ରପତିଙ୍କ ଫେଡେରାଲ୍ ପ୍ରୋଟେକ୍ସନ୍ ସର୍ଭିସ୍ (FPS) ର ଅଧିକାରୀଙ୍କ ଉପରେ ରହିଥାଏ।

କିଛି ଦିନ ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଲାସ୍କାରେ ୟୁକ୍ରେନ ସହ ଯୁଦ୍ଧବିରତି ଉପରେ ଆଲୋଚନା କରିବା ପାଇଁ ସାକ୍ଷାତକାର କରିଥିଲେ। ତେବେ ଏହା ପୂର୍ବରୁ ୨୦୧୭ରେ ପୁତିନଙ୍କ ଫ୍ରାନ୍ସ ଗସ୍ତ ସମୟରେ ତାଙ୍କ ମଳ ଏବଂ ପରିସ୍ରାକୁ ଏକ ସ୍ୱତନ୍ତ୍ର ସୁଟକେସରେ ରୁଷକୁ ଫେରାଇ ନିଆଯାଇଥିଲା। ସେହିପରି ୨୦୧୮ ରେ ଭିଏନା ଗସ୍ତ ସମୟରେ, ପୁତିନଙ୍କ ପାଇଁ ଏକ ବ୍ୟକ୍ତିଗତ ପୋର୍ଟେବଲ୍ ଶୌଚାଳୟର ମଧ୍ୟ ବ୍ୟବସ୍ଥା କରାଯାଇଥିଲା।

ତେବେ ୧୯୯୯ ମସିହାରୁ ପୁତିନ ବିଦେଶ ଯାତ୍ରା ସମୟରେ ଏକ ସ୍ୱତନ୍ତ୍ର ସୁଟକେସ ବହନ କରିଆସୁଛନ୍ତି। କୌଣସି ବିଦେଶୀ ଏଜେନ୍ସି ତାଙ୍କ ସ୍ୱାସ୍ଥ୍ୟ ସହିତ ଜଡିତ କୌଣସି ଜୈବିକ ତଥ୍ୟ ଯେପରି ନ ପାଇପାରିବ ସେଥିପାଇଁ ଏପରି ବ୍ୟବସ୍ଥା କରାଯାଇଥିବା ସୂତ୍ରରୁ ଜଣାପଡ଼ିଛି। ଗତ ନଭେମ୍ବର ୨୦୨୪ରେ କାଜାଖସ୍ତାନର ରାଜଧାନୀ ଆସ୍ତାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ଗୋଡ଼ ଥରୁଥିବା ଦେଖାଯିବା ପରେ ତାଙ୍କୁ ନେଇ ଅନେକ ଗୁଜବ ପ୍ରଚାର କରାଯାଉଥିବା ଦେଖିବାକୁ ମିଳିଛି। ତେଣୁ ଏପରି ପଦକ୍ଷେପ ଅତ୍ୟନ୍ତ ଜରୁରୀ ବୋଲି କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ