Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଇକ ଅନ୍ ଅଛି ବୋଲି ଭୁଲିଗଲେ ବିଶ୍ଵ ନେତା

ନୂଆଦିଲ୍ଲୀ: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ସବୁବେଳେ ନିଜ ବ୍ୟକ୍ତିତ୍ଵକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି। ଗତ ସୋମବାର ଦିନ ଡୋନାଲ୍ଡ ଟ୍ରମ୍ପ୍ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନ୍ସକି ଏବଂ ଅନ୍ୟ ୟୁରୋପୀୟ ନେତାଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଯେଉଁଥିରେ  ମେଲୋନି ମଧ୍ୟ ଉପସ୍ଥିତ ଥିଲେ। ତେବେ ଏହି ସମୟରେ ସେ ଏପରି କିଛି କହିଥିଲେ ଯାହାର ଫୋଟୋ ଏବଂ ଭିଡିଓ ବର୍ତ୍ତମାନ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ବୈଠକ ପୂର୍ବରୁ ସମସ୍ତ ନେତା ପରସ୍ପରକୁ ଭେଟି ସମସ୍ତଙ୍କର ହାଲଚାଲ ପଚାରି ବୁଝିଥିଲେ। ଏହି ସମୟରେ  ମାଇକ୍ ଚାଲୁ ରହିଛି ବୋଲି କେହି ମଧ୍ୟ ଅବଗତ ନଥିଲେ। ଏହି ସମୟରେ ଟ୍ରମ୍ପ୍ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ କହୁଥିବା ଶୁଣାଯାଇଥିଲା ଯେ ଆପଣ ଭଲ ଦେଖାଯାଉଛନ୍ତି କିନ୍ତୁ ଟିକେ କଳା ପଡ଼ି ଯାଇଛନ୍ତି। ସବୁକିଛି ଠିକ୍ ଅଛି ତ ? ଉତ୍ତରରେ ମାକ୍ରନ୍ ତାଙ୍କୁ ଧନ୍ୟବାଦ୍ କହୁଥିବା ଶୁଣା ଯାଇଥିଲା।ପରେ ଟ୍ରମ୍ପ୍ ଜର୍ମାନ ଚାନ୍ସେଲର ମର୍ଜଙ୍କୁ ମଧ୍ୟ କିପରି ଅଛନ୍ତି ବୋଲି ପଚାରିଥିଲେ ଏବଂ ସେ ଭଲ ଦେଖା ଯାଉଛନ୍ତି ବୋଲି ମଧ୍ୟ କହିଥିଲେ। ଏହି ସମୟରେ ତାଙ୍କ ପାଖରେ ବସିଥିବା ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଥିଲେ ଯେ ମାର୍ଜ ବହୁତ ଲମ୍ବା ଅଟନ୍ତି। ତେଣୁ ମୁଁ ତାଙ୍କ ସହ ଠିଆ ହେବାକୁ ଚାହେଁ ନାହିଁ। ମୋ ପାଇଁ ଭ୍ଲାଦିମିର ଜେଲେନସ୍କି ହିଁ ଠିକ୍ ଅଛନ୍ତି।

ଯାହାକୁ ନେଇ ଟ୍ରମ୍ପ କହିଥିଲେ ଯେ ହଁ ସେ ବହୁତ ଲମ୍ବା ଏବଂ ସୁନ୍ଦର ମଧ୍ୟ। ଏହା ବ୍ୟତୀତ ବୈଠକ ସମୟରେ ଟ୍ରମ୍ପ ଏବଂ ଜର୍ମାନ ଚାନସେଲରଙ୍କ ମଧ୍ୟରେ ମେଲୋନି ବସିଥିଲେ ଓ ଜର୍ମାନ ଚାନସେଲର କିଛି କହୁଥିବା ବେଳେ ମେଲୋନି ବିରକ୍ତି ଭାବ ପ୍ରକାଶ କରି ଆଖି ବୁଲାଉ ଥିବାର ଏକ ଭିଡିଓ ଅନଲାଇନ ଭାଇରାଲ ହେବାରେ ଲାଗିଛି।

ତେବେ ୟୁକ୍ରେନିଆର ରାଷ୍ଟ୍ରପତି ଜେଲେନସ୍କି ଏବଂ ୟୁରୋପୀୟ ନେତାମାନଙ୍କ ସହ ସାକ୍ଷାତ ପୂର୍ବରୁ ଟ୍ରମ୍ପଙ୍କ ମାଇକ୍ ମଧ୍ୟ ଚାଲୁ ରହିଯାଇଥିଲା। ଯେଉଁଥିରେ ଟ୍ରମ୍ପ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କୁ କହିଥିଲେ ଯେ ରୁଷ ରାଷ୍ଟ୍ରପତି ଏକ ଚୁକ୍ତି କରିବାକୁ ଚାହାଁନ୍ତି ଯାହାକି ଅତ୍ୟନ୍ତ ଆଶ୍ଚର୍ଯ୍ୟକର ଅଟେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ