Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲିପୁଲେଖକୁ ନେଇ ନେପାଳର ବୟାନକୁ ଖଣ୍ଡନ କଲା ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ଲିପୁଲେଖ ଘାଟି ଏବଂ ଅନ୍ୟ ଦୁଇଟି ବାଣିଜ୍ୟ ପଥ ଦେଇ ସୀମା ବାଣିଜ୍ୟ ପୁନଃ ଆରମ୍ଭ କରିବାକୁ ସୋମବାର ଦିନ ନିଷ୍ପତ୍ତି ନେଇଛନ୍ତି। ନେପାଳର ବୈଦେଶିକ ମନ୍ତ୍ରଣାଳୟ ଏହାକୁ ନେଇ ବିରୋଧ କରିଛି ଓ ଲିପୁଲେଖ ନେପାଳର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି କହିଛି।

ତେବେ ୨୦୨୦ ମସିହାରେ ନେପାଳ ତାର ନୂତନ ରାଜନୈତିକ ମାନଚିତ୍ରରେ କଳାପାଣି ଲିମ୍ପିଆଧୁରା ଏବଂ ଲିପୁଲେଖକୁ ଅନ୍ତର୍ଭୁକ୍ତ କରିଥିଲା ଯାହାକୁ ନେଇ ଏକ ବଡ଼ ସୀମା ବିବାଦ ସୃଷ୍ଟି ହୋଇଥିଲା ଓ ଯାହାକୁ ଭାରତ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ ମଧ୍ୟ କରିଥିଲା। ତେବେ ଭୌଗୋଳିକ ଭାବରେ ଦେଖିବାକୁ ଗଲେ ନେପାଳର ସୀମା ଭାରତର ପାଞ୍ଚଟି ରାଜ୍ୟ, ସିକିମ୍, ପଶ୍ଚିମବଙ୍ଗ, ବିହାର, ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ସହିତ ଯୋଡି ହେଉଛି। ଯାହାର ମୋଟ ଲମ୍ବ ପ୍ରାୟ ୧୮୫୦ କିଲୋମିଟର ଥିବା ରିପୋର୍ଟରୁ ଜଣାପଡ଼ିଛି।

ଏହି ଘଟଣାକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ଲିପୁଲେଖ ଘାଟି ଦେଇ ଭାରତ ଏବଂ ଚୀନ ମଧ୍ୟରେ ସୀମା ବାଣିଜ୍ୟ ୧୯୫୪ ମସିହାରୁ ଚାଲିଆସିଛି। କୋଭିଡ୍ -୧୯ ମହାମାରୀ ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ ଏହି ବାଣିଜ୍ୟ ବାଧାପ୍ରାପ୍ତ ହୋଇଥିଲା। କିନ୍ତୁ ବର୍ତ୍ତମାନ୍ ଏହାକୁ ପୁନଃ ଆରମ୍ଭ କରିବାକୁ ଉଭୟ ଦେଶ ନିଷ୍ପତ୍ତି ନେଇଥିବା କୁହାଯାଇଛି। ନେପାଳର ଏପରି ଦାବି ଯଥାର୍ଥ ନୁହେଁ କିମ୍ବା ଐତିହାସିକ ତଥ୍ୟ ଏବଂ ପ୍ରମାଣ ଉପରେ ମଧ୍ୟ ଆଧାରିତ ନଥିବା ମଧ୍ୟ ସେ କହିଛନ୍ତି। ଏଥିସହିତ ଭାରତ ସର୍ବଦା ନେପାଳ ସହିତ ସମସ୍ତ ସୀମା ସମ୍ପର୍କିତ ସମସ୍ୟାର ସମାଧାନ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।

ବାଣିଜ୍ୟ ପୁନଃ ଆରମ୍ଭ କରିବାର ଘୋଷଣା ହେବାର ଗୋଟିଏ ଦିନ ପରେ ନେପାଳ ଦୃଢ଼ ବିରୋଧ କରି କହିଥିଲା ଯେ କଳାପାଣି, ଲିମ୍ପିଆଧୁରା ଏବଂ ଲିପୁଲେଖ ଅଞ୍ଚଳ ମହାକାଳୀ ନଦୀର ପୂର୍ବରେ ଅବସ୍ଥିତ ଏବଂ ଐତିହାସିକ ଭାବରେ ନେପାଳର ଅଂଶ। ତେବେ ନେପାଳ ଦୀର୍ଘ ଦିନ ଧରି ଭାରତକୁ ଏହି ଅଞ୍ଚଳଗୁଡ଼ିକରେ ରାସ୍ତା ନିର୍ମାଣ କିମ୍ବା କୌଣସି ପ୍ରକାରର କାରବାର ନକରିବାକୁ ଅନୁରୋଧ କରିଆସୁଛି କିନ୍ତୁ ଏ ସବୁ ଅଞ୍ଚଳ ଭାରତ ଅଧୀନରେ ଥିବା ନେଇ ଭାରତ ଦାବି କରି ଆସୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ