Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଋଷରୁ ତେଲ କିଣିବା ନେଇ ଭାରତକୁ କାହିଁକି ଏଭଳୀ କହିଲେ ଟ୍ରମ୍ପଙ୍କ ପରାମର୍ଶଦାତା…

ନୂଆଦିଲ୍ଲୀ: ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି। ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରୋ ଭାରତକୁ ଶୁଳ୍କର ରାଜା ବୋଲି ବର୍ଣ୍ଣନା କରିଛନ୍ତି। ଭାରତ ରୁଷୀୟ ତେଲ ଆମଦାନୀ ଜାରି ରଖି ଏକ ଲାଭଖୋର ଯୋଜନା ଚଳାଇବାର ଯୋଜନା କରୁଥିବାର ଅଭିଯୋଗ ମଧ୍ୟ କରାଯାଇଛି।

ତେବେ ଅଗଷ୍ଟ ୨୭ ତାରିଖରୁ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରାଯିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି।ନାଭାରୋ କହିଛନ୍ତି ଯେ ଫେବୃଆରୀ ୨୦୨୨ରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଭାରତ ପ୍ରାୟତଃ କୌଣସି ରୁଷୀୟ ତେଲ କିଣିନଥିଲା କାରଣ ଭାରତର ଆବଶ୍ୟକତା ସେହି ସମୟରେ ପ୍ରାୟ ଏକ ପ୍ରତିଶତ ଥିଲା। କିନ୍ତୁ ବର୍ତ୍ତମାନ ଏହା ୩୫ ପ୍ରତିଶତକୁ ବୃଦ୍ଧି ପାଇଛି ଓ ସେମାନଙ୍କୁ ତେଲର କୌଣସି ଆବଶ୍ୟକତା ନାହିଁ। ଏହା ସମ୍ପୂର୍ଣ୍ଣ ଭାବରେ ଏକ ବିଶୋଧନ ଲାଭ-ବଣ୍ଟନ ଯୋଜନା ବୋଲି ସେ କହିଛନ୍ତି।

ରୁଷ ଗସ୍ତରେ ଆସିଥିବା ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହାକୁ ନେଇ ଆମେରିକାର ଅଧିକାରୀ ମାନଙ୍କୁ ସମାଲୋଚନା କରି କହିଥିଲେ ଯେ ଭାରତ ସରକାର ଆମେରିକାର ସମସ୍ତ ବୟାନ ଉପରେ ନଜର ରଖିଛି। ସେ ଏହା ମଧ୍ୟ କହିଥିଲେ ଯେ ଆମେରିକା ଗତ କିଛି ବର୍ଷ ଧରି କହିଆସୁଛି ଯେ ବିଶ୍ୱ ଶକ୍ତି ବଜାରକୁ ସ୍ଥିର କରିବା ପାଇଁ ଯଥାସମ୍ଭବ ପ୍ରୟାସ କରିବା ଉଚିତ। ଯେଉଁଥିରେ ରୁଷରୁ ତେଲ କିଣିବା ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ତେବେ ୨୦୨୨ ମସିହାରେ ୟୁକ୍ରେନରେ ବଡ଼ ଧରଣର ଆକ୍ରମଣ ଆରମ୍ଭ ହେବା ପରଠାରୁ ଭାରତ ରୁଷରୁ ତେଲ ଆମଦାନୀ ବୃଦ୍ଧି କରିଥିବା ଜୟଶଙ୍କର କହିଥିଲେ। କାରଣ ସେହି ସମୟରେ ସାତ ଦେଶ ଗୋଷ୍ଠୀ କ୍ରେମଲିନ୍ ର ଶକ୍ତି ରାଜସ୍ୱକୁ ସୀମିତ କରିବା ଲକ୍ଷ୍ୟରେ ମସ୍କୋର ଅଶୋଧିତ ତୈଳ ଉପରେ ପ୍ରତି ବ୍ୟାରେଲ $୬୦ ମୂଲ୍ୟ ସୀମା ଲାଗୁ କରିଥିଲା।

ଏସବୁ କ୍ରୟଗୁଡ଼ିକ ଦ୍ଵାରା ରୁଷକୁ ଯୁଦ୍ଧ କରିବା ପାଇଁ ଆର୍ଥିକ ସହାୟତା ମିଳୁଥିବା ଟ୍ରମ୍ପ୍ ପ୍ରଶାସନ ଦାବି କରିଛି। ତେବେ ଯଦି ଏହି ୫୦ ପ୍ରତିଶତର ଶୁଳ୍କ ଲାଗୁ କରାଯାଏ ତେବେ ଏହା ଯେକୌଣସି ଦେଶର ଉତ୍ପାଦ ଉପରେ ସର୍ବାଧିକ ଶୁଳ୍କ ହେବା ନେଇ ଆଲୋଚନା ଚାଲିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ