ଦୋକାନ ଉପରେ ମାଡ଼ିଗଲା ଯାତ୍ରୀବାହୀ ବସ୍‌: ବୃଦ୍ଧ ମୃତ: ଦୋକାନୀ ଆହତ : କ୍ଷତିପୂରଣ ଦାବିରେ ରାସ୍ତାରୋକ


ବାଲିଗୁଡା, ତା,୨୮/୦୮: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗୋଟିଏ ଘରୋଇ ବସ ଧକ୍କାରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ମହିଳା ଗୁରୁତର ହୋଇଛନ୍ତି । ମୃତକ ହେଲେ ବ୍ରାହ୍ମଣୀଗାଁ ର ବନ୍ଦସା ମାଝୀ । ଗୁରୁତର ମହିଳା ହେଲେ ବନ୍ଦାବୁଡି ମାଝୀ ବୋଲି ପୋଲିସ କହିଛି । ଗୁରୁତର ଆହତ ମହିଳାଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଏମକେସିଜିକୁ ଅଧିକ ଚିକିତ୍ସା ପାଇଁ ନିଆଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏବେ କ୍ଷତିପୂରଣ ଦାବିରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଯିବା ସହ ଦୁର୍ଘଟଣା ଘଟାଇଥିବା ବସ କୁ ଲୋକ ଅଟକାଇ ରଖିଛନ୍ତି। ପ୍ରକାଶ ଯେ, ସକାଳ ସମୟରେ ପଦ୍ମାଳୟ ଯାତ୍ରୀବାହି ବସଟି ଗଦାପୁର ଅଞ୍ଚଳରୁ ବାହାରିଥିବା ବେଳେ ବିକ୍ରାନ୍ତ ବସଟି ଦାରିଙ୍ଗବାଡିରୁ ବ୍ରହ୍ମପୁର ଯାଉଥିଲା ତେବେ ପୂର୍ବରୁ ବିକ୍ରାନ୍ତ ବସଟି ବ୍ରାହ୍ମଣୀଗାଁ ର ଆମଗାଁ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଯାତ୍ରୀଙ୍କୁ ଚଢ଼ାଉଥିବା ବେଳେ ପଛରେ ଆସୁଥିବା ପଦ୍ମାଳୟ ବସଟି ଦ୍ରୁତ ଗତିରେ ଆସି ପୂର୍ବରୁ ଠିଆ ହୋଇଥିବା ବିକ୍ରାନ୍ତ ବସକୁ ଓଭେରଟେକ କରିଥିଲା ଫଳରେ ଚା’ଦୋକାନ ଆଡକୁ ବସଟି ମାଡ଼ିଯାଇ ଥିଲା ଏବଂ ଚା’ପିଉଥିବା ବନ୍ଦସା ମାଝୀ ଏବଂ ବନ୍ଦାବୁଡି ମାଝୀଙ୍କ ଉପରେ ମାଡି ଯାଇଥିଲା। ସେହିପରି ସାମ୍ନାରେ ଥିବା ଏକ ଧଳା ରଙ୍ଗର କାର, ଓ ବାଇକକୁ ମଧ୍ୟ ପଦ୍ମାଳୟ ବସ ଟି ଧକ୍କା ଦେଇଥିଲା ଫଳରେ କାର ଏବଂ ବାଇକ ଭାଙ୍ଗି ଚୁରମାର ହୋଇଯାଇଛି ତେବେ କାର ଏବଂ ବାଇକରେ କୌଣସି ଲୋକ ନଥିବାରୁ ସେମାନଙ୍କ ଜୀବନ ବଞ୍ଚିଯାଇଛି। ଖବର ଲେଖିବା ସୁଦ୍ଧା ବ୍ରାହ୍ମଣୀଗାଁ ରେ ଉତ୍ତେଜନା ଲାଗିରହିଛି ବସର ମାଲିକ ପହଞ୍ଚି କ୍ଷତି ପୁରଣ ଦେବାକୁ ଉତ୍ତ୍ୟକ୍ତ ଲୋକ ଦାବି କରିଛନ୍ତି ବ୍ରାହ୍ମଣୀଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରୁଛନ୍ତି।