ଭାରତୀୟଙ୍କ ଥାଳିରେ ପ୍ରୋଟିନ୍ ଅପେକ୍ଷା “ଶ୍ୱେତସାର”ର ପରିମାଣ ଅଧିକ

ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ବାସ୍ତବିକ ସ୍ୱାଦିଷ୍ଟ କିନ୍ତୁ ଦିନକୁ ଦିନ ଖାଦ୍ୟ ପେୟରେ ଅନୁପଯୁକ୍ତ ପରିଲକ୍ଷିତ ହେଉଛି। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ର ଏକ ଅଧ୍ୟୟନରୁ ଏହା ଜଣାପଡିଛି। ଏହି ଅଧ୍ୟୟନ ଅନୁସାରେ ଏବେ ଭାରତୀୟଙ୍କ ଥାଳିରେ ପ୍ରୋଟିନ ପରିମାଣ କମୁଥିବା ବେଳେ ଶ୍ୱେତସାରର ପରିମାଣ ବଢି ଚାଲିଛି ବୋଲି ଜଣାପଡିଛି। ଏହି କାରଣରୁ ଦେଶରେ ମେଦବହୂଳତା, ଡାଏବେଟିଜ୍, ହାଇବ୍ଲଡପ୍ରେସର ଓ ମାଂସପେଶୀ ଦୁର୍ବଳତା ଭଳି ରୋଗ ସମସ୍ୟା ବଢି ଚାଲିଛି।
ଭାରତରେ ସବୁ ରାଜ୍ୟର ଖାଦ୍ୟ ଓ ପାନୀୟ ଅଲଗା, ଲୋକଙ୍କ ଖାଦ୍ୟ ପାନୀୟ ଅଭ୍ୟାସ ମଧ୍ୟ ଅଲଗା। ହେଲେ ପ୍ରାୟ ରାଜ୍ୟର ଲୋକଙ୍କ ଥାଳିରେ, ଭାତ, ରୁଟି ଓ ଆଳୁ ଭଳି ହାଇ ଅତ୍ୟଧିକ ଶ୍ୱେତସାର ଯୁକ୍ତ ଖାଦ୍ୟ ବେଶି ମାଡି ବସିଛି। ଆଇସିଏମଆରଙ୍କ କହିବା କଥା ହେଉଛି ଯଦି ଖାଦ୍ୟ ପାନୀୟରେ ସନ୍ତୁଳନ ଅଣାନଯାଇପାରିଲା ତେବେ ଆଗାମୀ ସମୟରେ ଭାରତରେ ଜୀବନଶୈଳୀ ଜନିତ ରୋଗର ସମସ୍ୟା ବୃଦ୍ଧି ପାଇବାର ଆଶଙ୍କା ରହୁଛି।
ଆଇସିଏମଆର ଓ ନ୍ୟାସନନାଲ ଇନିଷ୍ଟିଚ୍ୟୁସନ ଅଫ ନ୍ୟୁଟ୍ରିସନର (ଏନଆଇଏନ) କରାଯାଇଥିବା ମିଳିତ ଅଧ୍ୟୟନରେ ଭାରତର ଅଲଗା ଅଲଗା ରାଜ୍ୟର ଡାୟେଟ ପ୍ୟାଟର୍ଣ୍ଣକୁ ବିଶ୍ଲେଷଣ କରାଯାଇଥିଲା। ଏହି ଅଧ୍ୟୟନରୁ ଏହା ଜଣାପଡିଛି ଯେ ଭାରତୀୟଙ୍କ ଖାଦ୍ୟ ପେୟରେ ଶ୍ଵେତସାରର ପରିମାଣ ୬୦ରୁ ୭୦ ପ୍ରତିଶତ ରହୁଥିବା ବେଳେ ଏଥିରେ ପ୍ରୋଟିନର ପରିମାଣ ୧୦ ପ୍ରତିଶତ ରହୁଛି,ଏଥିରୁ ପ୍ରମାଣିତ ହେଉଛି ଯେ ଲୋକମାନେ ପ୍ରକୃତ ସନ୍ତୁଳିତ ଖାଦ୍ୟ ଏବଂ ପୋଷଣ ଯୁକ୍ତ ଖାଦ୍ୟ ଗ୍ରହଣ କରୁନାହାନ୍ତି। ଏଭଳି ପ୍ରକାରର ଅସନ୍ତୁଳିତ ଖାଦ୍ୟ ପରବର୍ତ୍ତୀ ସମୟରେ ରୋଗର କାରଣ ହେଉଛି।
ରିପୋର୍ଟ ଅନୁସାରେ ଭାରତୀୟ ଲୋକେ ହାରାହାରି ସେତିକି ପରିମାଣର ପ୍ରୋଟିନ ଗ୍ରହଣ କରିପାରୁ ନାହାନ୍ତି ଯେତିକି ଶରୀର ପାଇଁ ଆବଶ୍ୟକ ହୋଇଥାଏ । ଜଣେ ଲୋକକୁ ଦିନକରେ ହାରାହାରି ୬୦ ଗ୍ରାମ ପ୍ରୋଟିନର ଆବଶ୍ୟକତା ପଡିଥାଏ। କିନ୍ତୁ ଅଧିକାଂଶ ଭାରତୀୟ ମାତ୍ର ୩୦-୪୦ ପ୍ରତିଶତ ହିଁ ଗ୍ରହଣ କରନ୍ତି। ଡାଲି, ଅଣ୍ଡା, ଦୁଗ୍ଧ ଓ ସୋୟା ଭଳି ପ୍ରୋଟିନ ଆମ ଥାଳିରେ ରହୁନାହିଁ। ଏହାର ପ୍ରଭାବ ଆମର ଇମ୍ୟୁନିଟି, ମସଲସ, ହେଲଥ୍ ଓ ଏନର୍ଜୀ ଉପରେ ପଡୁଛି।
ଆଇସିଏମଆରଙ୍କ ଅଧ୍ୟୟନରୁ, ଜଣାପଡିଛି ଯେ ଦକ୍ଷିଣ ଭାରତରେ ଲୋକେ ଭାତ ଉପରେ ଅତ୍ୟଧିକ ନିର୍ଭର କରୁଥିବା ବେଳେ ଉତ୍ତର ଭାରତୀୟ ରୁଟି ଉପରେ ବେଶି ନିର୍ଭର କରୁଛନ୍ତି। ପୂର୍ବଉତ୍ତର ଏବଂ ଉପକୂଳ ଅଞ୍ଚଳର ଲୋକେ ଖାଦ୍ୟରେ ମାଛ ଓ ନଡିଆ ଉପଯୋଗ କରୁଛନ୍ତି। ମାଛ ଓ ନଡିଆରୁ କିଛି ମାତ୍ରାରେ ପ୍ରୋଟିନ ମିଳିଯାଉଛି ତେବେ ମୋଟ ଉପରେ ଦେଶରେ ସନ୍ତୁଳିତ ଡାୟେଟର ଅଭାବ ଦେଖାଯାଇଛି। ଏଣୁ ଆଇସିଏମଆର ଲୋକଙ୍କୁ ନିଜ ଡାୟେଟ ତୁରନ୍ତ ସୁଧାରିବାକୁ ପରାମର୍ଶ ଦେଇଛନ୍ତି।
ରିପୋର୍ଟ ଅନୁସାରେ ଲୋକ ଯଦି ପ୍ରୋଟିନ ଯୁକ୍ତ ଖାଦ୍ୟ ଯଥା – ଅଣ୍ଡା, ମାଛ ,ଡାଲି ଭଳି ସନ୍ତୁଳିତ ଖାଦ୍ୟକୁ ନିଜ ନିୟମିତ ଖାଦ୍ୟ ତାଲିକାରେ ସାମିଲ ନ କରନ୍ତି ତେବେ ଆଗକୁ ଏହା ଆଗକୁ ମେଦ ବହୁଳତା, ଡାଇବେଟିକ୍, ବ୍ଲଡ ପ୍ରେସର ଭଳି ରୋଗର ସମ୍ମୁଖୀନ ହୋଇପାରନ୍ତି। ତେଣୁ ଦୈନିକ ଥାଳିରେ ୨୫% ପ୍ରୋଟିନ, ୫୦% କାର୍ବସ ଓ ୨୫% ସ୍ୱାସ୍ଥ୍ୟକର ଫ୍ୟାଟସ୍ ସାମିଲ କରିବାକୁ ପରାମର୍ଶ ଦେଇଛନ୍ତି। ଆଇସିଏମଆର ବିଶେଷଜ୍ଞଙ୍କ ଅନୁସାରେ ଯଦି ଲୋକେ ଦୈନିକ ଖାଦ୍ୟରେ ଡାଲି, ଅଣ୍ଡା, କ୍ଷୀର, ଦହି ଓ ପନିର ଆଦି ସାମିଲ କରନ୍ତି ତେବେ ଏହି ସନ୍ତୁଳନକୁ ସହଜରେ ସୁଧାର କରାଯାଇପାରିବ। ଯଦି ଆମ ଥାଳିରେ ପୋଷଣ ସନ୍ତୁଳନ ନ ରହେ ତେବେ ଶରୀର ଧିରେ ଧିରେ ଦୁର୍ବଳ ହୋଇ ପଡିବ। ଏଣୁ ଆମକୁ ପେଟ ପୁରା ଖାଦ୍ୟ ଉପରେ ଧ୍ୟାନ ନ ଦେଇ ବରଂ ପୋଷଣ ଯୁକ୍ତ ଖାଦ୍ୟ ଉପରେ ଧ୍ୟାନ ଦେବା ଅଧିକା ଜରୁରୀ ରହିଛି। ଏବେବି ସମୟ ଅଛି ଆମର ପାରମ୍ପରିକ ସ୍ୱାଦ ସହିତ ସ୍ୱାସ୍ଥ୍ୟର ମଧ୍ୟ ଧ୍ୟାନ ରଖିବା ଏବଂ ଖାଦ୍ୟକୁ ଆମର ଶକ୍ତି ବନେଇବା।